ସମ୍ବଲପୁର: ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ । ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଯୁବବର୍ଗଙ୍କୁ ଡିଜିଟାଲ ଶିକ୍ଷା ସହ ସେମାନଙ୍କୁ ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ଆଜି ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଗୋଶାଳା ଛକରୁ ଏନଏସଡିସି ଦ୍ବାରା ୩ଟି ଅତ୍ୟାଧୁନିକ କୌଶଳ ରଥ (Skills on Wheels)ର ଶୁଭାରମ୍ଭ କରିଛନ୍ତି । ଏ ରଥ ସମ୍ବଲପୁର ସମେତ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଡ଼ିବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ଦେଖିଥିବା ବେଳେ ଦେଶ ପ୍ରଗତିର ପଥରେ ଅଗ୍ରସର ହେଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂର ଚାହିଦା ବଢ଼ୁଛି । ମୋଦି ସରକାରରେ ଦେଶରେ ଡିଜିଟାଲ କାରବାରର ନୂଆ ରୂପରେଖ ପରିବର୍ତ୍ତନ ହୋଇଛି । ବିଶ୍ୱର ଉତ୍ପାଦନର କାରଖାନା ଭାରତ ହେବା ପାଇଁ ଯାଉଛି । ଭାରତର ଯୁବଶକ୍ତିଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ଦକ୍ଷ କରିବା ପାଇଁ ପଡ଼ିବ ।
ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଶୁଭାରମ୍ଭ ହୋଇଥିବା ରଥ ସମ୍ବଲପୁର ସମେତ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଯିବ । ନିର୍ଦ୍ଦିଷ୍ଟ ସମୟ ଅବଧିରେ ପଞ୍ଜିକରଣ କରିଥିବା ଯୁବକ ଯୁବତୀଙ୍କୁ ଟ୍ରେନିଂ ଦିଆଯିବ । ଆତ୍ମନିର୍ଭର ହେବା ପାଇଁ ଉଦ୍ୟମିତାର ପ୍ରଶିକ୍ଷଣ ଦିଆଯିବ । ଗାଁର ବିଶେଷ ଭାବରେ ଗରିବ ଯୁବକ ଯୁବତୀ ମାନଙ୍କ ଦକ୍ଷତା ବଢାଇବା ଦିଗରେ ଏହି ରଥ କାମ କରିବ । ଆଗାମୀ ଦିନର ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ ଏହି ସ୍କିଲ୍ ରଥ ଯୁବବର୍ଗଙ୍କୁ ବହୁତ ଲାଭ ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ ... ବିକଶିତ ଭାରତ ସଂକଳ୍ପ ଯାତ୍ରା ଯୋଗଦେଲେ ଧର୍ମେନ୍ଦ୍ର, କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ କଲେ ସଚେତନ
କମ ସମୟ ମଧ୍ୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନାରେ ସ୍କିଲ୍ ଇଣ୍ଡିଆ ମିଶନକୁ ବଡ଼ ଗତି ଦେବ । ଯେଉଁ ସମୟରେ ୨ କୋଟି ଲକ୍ଷପତି ଦିଦି ଓ ନମୋ ଡ୍ରୋନ୍ ଦିଦି ଦେଶରେ ମହିଳାଙ୍କୁ ସଶକ୍ତିକରଣ କରିବାର ନୂଆ ପଥ ଦେଖାଇଛି, ସେହି ସମୟରେ ଏହି ରଥ ସ୍ଥାନୀୟ ଗ୍ରାମୀଣ ଯୁବକ ଯୁବତୀ, ବିଶେଷ କରି ଝିଅ ଓ ମହିଳାମାନଙ୍କୁ ଡିଜିଟାଲ ଦକ୍ଷତା ତାଲିମ୍ ଦେଇ ସଶକ୍ତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଦକ୍ଷତା ରଥ ଆମ ଯୁବପିଢ଼ିଙ୍କୁ କୁଶଳ କରିବା ଭଳି ସମସ୍ତ ସୂଚନା ପ୍ରଦାନ କରିବ । ବିଭିନ୍ନ କଲେଜରେ ଛାତ୍ରଛାତ୍ରୀଙ୍କୁ ଏହି ଅତ୍ୟାଧୁନିକ କୌଶଳ ରଥ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ । ଏହା ଯୁବବର୍ଗଙ୍କ ପାଇଁ ଆର୍ଥିକ ସାକ୍ଷରତା, ଡିଜିଟାଲ ସାକ୍ଷରତା, ରିଟେଲ୍ ଦକ୍ଷତା ଏବଂ ଉଦ୍ୟମିତା ଆଦିର ଏକ ବଡ଼ ପ୍ଲାଟଫର୍ମ ଭାବେ କାମ କରିବ । ଏହି କୌଶଳ ରଥ ଉପକ୍ରମ ଯୁବ ସଶକ୍ତୀକରଣ ପ୍ରତି ମୋଦି ଗ୍ୟାରେଣ୍ଟିର ସବୁଠୁ ବଡ଼ ପ୍ରମାଣ । ଆଗାମୀ ଦିନରେ ଗାଁ ଗାଁରେ ଏଭଳି ରଥ ଚଳାଇବାର ଯୋଜନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର