ସମ୍ବଲପୁର: ବର୍ତ୍ତମାନ ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ଵୃଦ୍ଧି ପାଉଥିବାବେଳେ ସମ୍ବଲପୁର ମହାନଗର ଏନେଇ ପଦକ୍ଷେପ ନେଇଛି । ସହରର 19ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ମହାନଗର ନିଗମ । ଏହି ସ୍ଥାନ ଗୁଡିକରୁ ଲୋକେ ଯେପରି ନ ବାହାରିବେ, ସେ ନେଇ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଖକୁ ପନିପରିଵା ସହ ଅତ୍ୟାବଶ୍ୟକ ଦ୍ରବ୍ୟ ମହାନଗର ନିଗମ ପକ୍ଷରୁ ପହଞ୍ଚାଯାଉଛି ।
ସ୍ଥିତି ପରଖିବା ପାଇଁ ନିୟମିତ ଭାବେ ରାପିଡ ରେସ୍ପନ୍ସ ଟିମ କଣ୍ଟେନମେଣ୍ଟ ଅଞ୍ଚଳକୁ ଯାଉଛି ବୋଲି ମହାନଗର ନିଗମର କମିଶନର ସୂଚନା ଦେଇଛନ୍ତି । ସେହିପରି ହୀରାକୁଦ ହିଣ୍ଡାଲକୋର ଇ-2 ବ୍ଲକ,ଜଗନ୍ନାଥ କଲୋନୀ, ରେଲନଗର କ୍ଷେତରାଜପୁର,ଗୋପାଳମାଲ ରାଧାକୃଷ୍ଣ ଗଳି, ମୁଦିପଡା ପଞ୍ଜାବୀ ଗଳି, ବଲାଜୀ କଲୋନୀ, ବଡ଼ବଜାର ପଟେଲ କଲୋନୀ, ଡି-ବ୍ଲକ, 2 ଜାଗୃତି ବିହାର,ଆନନ୍ଦ ବିହାର,ସୁପକାର ଗଳି, ଶ୍ରୀରାମ ବିହାର, ଏଲଆଇସି କଲୋନୀ,ସମୃଦ୍ଧି ନଗର, ମିଶ୍ର କଲୋନୀ/ଆଦର୍ଶ ନଗର, କ୍ରିଷ୍ଣା ନଗର, ପ୍ରଧାନ ପଡା,ଏକ୍ଜିକ୍ୟୁଟିଭ କଲୋନୀ, ଭୀମ ଭୋଇ ନଗର, ବରେଇପାଲି ଗ୍ରେଟର ସମ୍ବଲପୁର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ଏହା ସହ ବର୍ତ୍ତମାନ ସମ୍ବଲପୁରରେ ଆଜିଠୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ 14 ଦିନିଆ ଲକଡାଉନର ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରି ନିଜେ ସୁସ୍ଥ ରହିବା ସହ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବାକୁ ମହାନଗର କମିଶନର ଜନସାଧାରଣଙ୍କୁ ଅପିଲ କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ