ସମ୍ବଲପୁର: କୋରୋନା ମହାମାରୀ ସମୟରେ ପର୍ଯ୍ୟଟକଙ୍କ ମୁହଁରେ ହସ ଖେଳାଇ ଦେଇଛି ସରକାରଙ୍କ ଇକୋ ରିଟ୍ରିଟର ଆୟୋଜନ । ଗତବର୍ଷର ଅପୂର୍ବ ସଫଳତା ପରେ ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟର 5ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରିବାକୁ ଯାଉଛନ୍ତି । ଆଉ 5ଟି ସ୍ଥାନ ମଧ୍ୟରେ ସାମିଲ ଅଛି ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା । ପ୍ରାକୃତିକ ପରିବେଶରେ ଭରପୁର ସମ୍ବଲପୁରରେ ଏଥର ପର୍ଯ୍ୟଟକ ଉଠାଇବେ ଇକୋ ରିଟ୍ରିଟର ମଜା ।
ସାଧାରଣତଃ ବର୍ଷତମାମ ହୀରାକୁଦ ଡ୍ୟାମକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟେ ପର୍ଯ୍ୟଟକ ସୁଅ । ଆଉ ଶୀତ ଋତୁ ଆସିଗଲେ ପର୍ଯ୍ୟଟକଙ୍କ ଲାଗେ ଅସମ୍ଭାଳ ଭିଡ । ହେଲେ ଏଥର ସବୁ ଖୁସିରେ ଯେମିତି ଗ୍ରହଣ ଲଗାଇ ଦେଇଛି କୋରୋନା ମହାମାରୀ । ଦୀର୍ଘ 7 ମାସ ଧରି ଲକଡାଉନ ସଟଡାଉନରେ ପେଶି ହୋଇଯାଇଥିଲେ ଲୋକେ । ଘରୁ ବାହାରିବା ଯେତେବେଳେ ବିପଦ ରହିଛି ବୁଲିବା କଥା ଭାବିବ ବା କିଏ ? ରାଜସ୍ବ ବୃଦ୍ଧି, ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀ ପ୍ରତି ଆକୃଷ୍ଟ କରିବାକୁ ସରକାର ଇକୋ ରିଟ୍ରିଟର ଆୟୋଜନ କରୁଛନ୍ତି ।
କୋଣାର୍କ ଭଳି ସମ୍ବଲପୁର ସହର ଉପକଣ୍ଠ ହୀରାକୁଦ ଜଳଭଣ୍ଡାର କଡରେ ଥିବା ଜମାଦାର ପାଲି ଅଞ୍ଚଳରେ ଆୟୋଜିତ ହେବାକୁ ଯାଉଛି ଇକୋ ରିଟ୍ରିଟ । ନୀଳ ଗଭୀର ଜଳରାଶି, ସବୁଜ ବନାନୀରେ ଭରପୂର ଜଙ୍ଗଲ ଆଉ ପ୍ରାକୃତିକ ପରିବେଶକୁ ଅତି ନିକଟରୁ ଉପଭୋଗ କରିପାରିବେ ପର୍ଯ୍ୟଟକ । ଚଳିତ ଥର ପ୍ରଥମଥର ପାଇଁ ସମ୍ବଲପୁରରେ ଏପରି ଫେଷ୍ଟିଭାଲର ଆୟୋଜନ ହେଉଥିବାରୁ ସଜେଇ ହେଲାଣି ସମଗ୍ର ସହର ।
ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ଫେଷ୍ଟିଭାଲ ଫେବୃଆରୀ 28 ପର୍ଯ୍ୟନ୍ତ ଚାଲିବ । ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଅତିଥିଙ୍କ ପାଇଁ ଜଳକ୍ରୀଡା, ଅଭୟାରଣ୍ୟ ସଫାରୀ,ହୀରାକୁଦ ରୋପ ୱେ ରାଇଡ, ସାଇକେଲ ରାଇଡିଂ, ରାଇଫଲ ସୁଟିଂ ଭଳି ବୋଟିଂର ବ୍ୟବସ୍ଥା କରିଛି ପର୍ଯ୍ୟଟନ ବିଭାଗ । ଏହାସହ ଅତିଥିଙ୍କ ପାଇଁ କଟେଜ, ସମ୍ମିଳନୀ କକ୍ଷ, ଅଭ୍ୟର୍ଥନା ଗୃହ, ରେସ୍ତୋରାଁର ମଧ୍ୟ ବ୍ୟବସ୍ଥା କରିଛି ପ୍ରଶାସନ । ଅନ୍ୟପଟେ ପର୍ଯ୍ୟଟକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏଥିପ୍ରତି ଖାସ୍ ଦୃଷ୍ଟି ଦିଆଯାଇଛି । ଖୋଦ ରାଜ୍ୟ ପର୍ଯ୍ୟଟନ ସଚିବ ସଚିନ ଆର ଯାଦବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏପଟେ ପଶ୍ଚିମ ଓଡିଶାରେ ପ୍ରଥମଥର ପାଇଁ ଏଭଳି ଆୟୋଜନ ହେଉଥିବାରୁ ଜିଲ୍ଲବାସୀ ଖୁସି ବ୍ୟକ୍ତ କରିଛନ୍ତି ।
ଇକୋ ରିଟ୍ରିଟ ହେଲେ କେବଳ ପର୍ଯ୍ୟଟକ ଆନନ୍ଦ ଉଠାଇବେ ତାହା ନୁହେଁ ପର୍ଯ୍ୟଟନସ୍ଥଳୀରେ ରୋଜଗାର କରି ପେଟ ପୋଷୁଥିବା ଲୋକଙ୍କୁ ମଧ୍ୟ ଅର୍ଥ ଉର୍ପାଜନର ରାହା ମିଳିଯିବ । ଏପଟେ ଇକୋ ରିଟ୍ରିଟ ବେଳେ କୋରୋନା ଯେପରି ନ ବ୍ୟାପେ ସରକାର ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଦେଖାଯାଉ ସରକାରଙ୍କ ଏ ପ୍ରସ୍ତୁତି ଉଭୟ ପର୍ଯ୍ୟଟକ ଓ ପର୍ଯ୍ୟଟନସ୍ଥଳୀରେ କେତେ ପ୍ରଭାବ ପକାଉଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ