ସମ୍ବଲପୁର: ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ସମ୍ବଲପୁରର ଏହି ସାଂସ୍କୃତିକ ପର୍ବ ବହୁ ପୁରାତନ l ଆଜି ପର୍ଯ୍ୟନ୍ତ ଏହାର ସ୍ବତନ୍ତ୍ରତା ବଜାୟ ରହିଛି l ରାଜ୍ୟର ବିଭିନ୍ନ ସ୍ଥାନରେ ଶୀଳତ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଥିଲେ ମଧ୍ୟ ସମ୍ବଲପୁରର ଶୀତଳ ଷଷ୍ଠୀ ସବୁଠାରୁ ଅଲଗା l ଏହା ସମ୍ବଲପୁରର ସାଂସ୍କୃତିକ ପରିଚୟ । ତେବେ କେବେ ଓ କେମିତି ଏହାର ଆରମ୍ଭ ହୋଇଥିଲା ଏବଂ ଏହାର ଐତିହାସିକ ପୃଷ୍ଠଭୂମି କଣ ରହିଛି ? କଣ କୁହନ୍ତି ଐତିହାସିକ l
କେବେଠୁ ଆରମ୍ଭ ହେଲା ଶୀତଳ ଷଷ୍ଠୀ ?
ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଏକ ଆଧ୍ୟାତ୍ମିକ ଦର୍ଶନ ବହନ କରୁଥିବା ବେଳେ ଏହା ଲୋକକଳା ଓ କଳାକାରଙ୍କ ପାଇଁ ଏକା ସାଂସ୍କୃତିକ ମହାକୁମ୍ଭ ମଧ୍ୟ l ଖୋଲାମଞ୍ଚରେ ହୋଇଥାଏ ଶିବ ପାର୍ବତୀଙ୍କ ବିବାହ ତାହା ପୁଣି ଲୌକିକ ଆକାରରେ । ଏହା ସମ୍ବଲପୁରରେ ଚୌହାନ ବଂଶୀୟ ରାଜାଙ୍କ ରାଜୁତି ସମୟରେ ଆରମ୍ଭ ହୋଇଥିଲା ବୋଲି ଐତିହାସିକ କୁହନ୍ତି । ହୀରାଖଣ୍ଡ ଛତ୍ରପତି ବୋଲାଉଥିବା ରାଜା ବଳିୟାର ସିଂ ନିଜ ରାଜୁତି ସମୟରେ ପୁରୀକୁ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିବା ବେଳେ ତାଙ୍କୁ ଗଜପତି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ l ସେତେବେଳେ ରାଜା ବଳିୟାର ସିଂଙ୍କ ବୀରତ୍ବ ଆକଳନ କରିବା ପାଇଁ ଗଜପତି ମହାରାଜ କିଛି ଲୋକଙ୍କ ଦ୍ଵାରା ବଳିୟାର ସିଂଙ୍କ ଉପରେ ସମୁଦ୍ର କୂଳରେ ଅଚାନକ ଆକ୍ରମଣ କରିଥିଲେ l ତେବେ ରାଜା ବଳିୟାର ସିଂ ନିଜର ଯୁଦ୍ଧ କୌଶଳରେ ସବୁ ଆକ୍ରମଣକାରୀଙ୍କୁ ପରାଜିତ କରିଥିଲେ । ଏଥିରେ ଖୁସି ହୋଇ ଗଜପତି ମହାରାଜ ବଳିୟାର ସିଂଙ୍କୁ କିଛି ମାଗିବାକୁ କହିଥିଲେ l ରାଜା ବଳିୟାର ସିଂ ଧନ ସମ୍ପଦ ନମାଗି ନିଜ ଶାସନ କାର୍ଯ୍ୟରେ ସହଯୋଗ ପାଇଁ କିଛି ଉତ୍କଳୀୟ ବ୍ରାହ୍ମଣ ପରିବାରଙ୍କୁ ମାଗିଥିଲେ ଓ ସେମାନଙ୍କୁ ସମ୍ବଲପୁର ଆଣି ଅବସ୍ଥାନ କରାଇଥିଲେ l
ଉତ୍କଳୀୟ ବ୍ରାହ୍ମଣମାନେ ସମ୍ବଲପୁର ଆସିବା ସହ ନିଜର ଭାଷା ସଂସ୍କୃତିକୁ ଆଣି ଆସିଥିଲେ । ଯେହେତୁ ଉତ୍କଳୀୟ ବ୍ରାହ୍ମଣମାନେ ଶିବ ଉପାସକ ଥିଲେ ସେମାନେ ସମ୍ବଲପୁରରେ ମଧ୍ୟ ଶିବ ବିବାହ ବା ଶୀତଳ ଷଷ୍ଠୀ ପର୍ବ ଆରମ୍ଭ କରିଥିଲେ l ସେତେବେଳେ ସମ୍ବଲପୁର ମହାନଦୀ କୂଳରେ ବାଲିବନ୍ଧାରେ ସ୍ଥିତ ସୋମନାଥ ବାବା ବା ସାମିଆଁ ବାବା ମନ୍ଦିର ଥିଲା । ସେଠାରେ ପ୍ରଥମେ 1678 ମସିହାରୁ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିଲା l
ତେବେ ପରବର୍ତ୍ତୀ ସମୟରେ ଉତ୍କଳୀୟ ବ୍ରାହ୍ମଣମାନେ ନିଜ ବସତି ଅଞ୍ଚଳରେ ଏକା ଶିବ ମନ୍ଦିର ନିର୍ମାଣ ପାଇଁ ତତ୍କାଳୀନ ରାଜା ଅଜିତ ସିଂଙ୍କୁ ଦାବି କରିଥିଲେ l ରାଜା ଅଜିତ ସିଂ ରାଜି ମଧ୍ୟ ହୋଇଥିଲେ l କିନ୍ତୁ ସେହି ସମୟରେ ରାଜ୍ୟରେ ଅରାଜକତା ସୃଷ୍ଟି ହେବାରୁ ମନ୍ଦିର ତିଆରି ହୋଇପାରିଲା ନାହିଁ l ପରବର୍ତ୍ତୀ ସମୟରେ ଜୟନ୍ତ ସିଂ ରାଜା ହେଲେ ଓ ରାଜ୍ୟରେ ଶାନ୍ତି ଫେରିଲା । ସେତେବେଳେ ଦିବ୍ୟଲୋଚନ ମିଶ୍ରଙ୍କ ନେତୃତ୍ବରେ କିଛି ଉତ୍କଳୀୟ ବ୍ରାହ୍ମଣ ପୁଣି ରାଜାଙ୍କ ପାଖକୁ ଯାଇ ନନ୍ଦପଡ଼ା ଅଞ୍ଚଳରେ ଏକ ଶିବାଳୟ ନିର୍ମାଣ କରିବାକୁ ଦାବି କରିଥିଲେ l ଏଥିରେ ରାଜା ସହମତି ପ୍ରକାଶ କରି ନନ୍ଦପଡ଼ାରେ ବାଲୁଙ୍କେଶ୍ବର ମନ୍ଦିର ନିର୍ମାଣ କରିଥିଲେ l ସେଠାରେ ଉତ୍କଳୀୟ ବ୍ରାହ୍ମଣମାନେ ମହାଆଡମ୍ବରରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ କରିଥିଲେ l
ଏହାକୁ ଦେଖି ପାଖରେ ରହୁଥିବା ଆରଣ୍ୟକ ବ୍ରାହ୍ମଣମାନେ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା କରିବା ଆରମ୍ଭ କରିଥିଲେ । ଏଭଳି ଭାବରେ ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜନର ପ୍ରତିଷ୍ପର୍ଦ୍ଧା ବୃଦ୍ଧି ପାଇବା ସହ ବହୁ ସ୍ଥାନରେ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠାନ ଆରମ୍ଭ ହେଲା । କ୍ରମେ ଏହା ଏକ ବିରାଟ ଉତ୍ସବର ରୂପ ନେଲା । ଏଭଳି ଭାବରେ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା ପ୍ରସିଦ୍ଧି ହାସଲ କରିଥିଲା l
ଇଟିଭି ଭାରତ, ସମ୍ବଲପୁର