ସମ୍ବଲପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ । ମହାନଦୀ କୂଳରେ ଭବ୍ୟ ମନ୍ଦିରରେ ମା ଶହ ଶହ ବର୍ଷ ହେଲା ପୂଜା ପାଉଛନ୍ତି । କେବଳ ସମ୍ବଲପୁର ନୁହେଁ ଅବିଭକ୍ତ ସମ୍ବଲପୁର ତଥା ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ମା'ଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ଆରାଧନା କରାଯାଏ । ସମଲେଶ୍ବରୀ ମା'ଙ୍କୁ ଅନ୍ନ ଓ ସମ୍ବଳର ଦେବୀ ବୋଲି ବିବେଚନା କରାଯାଏ । ସେଥିପାଇଁ ମା'ଙ୍କ ପ୍ରତି ଲୋକଙ୍କ ସ୍ୱତନ୍ତ୍ର ଆସ୍ଥା ରହିଛି । ବିଶ୍ୱାସ କରାଯାଏ ଯେ ସମ୍ବଲପୁର ମାଟିରେ କେହି ବି ବ୍ୟକ୍ତି ଟିକିଏ ବି ପରିଶ୍ରମ କରେ ତେବେ ସେ ଭୋକରେ ରହି ନଥାଏ । ବର୍ତ୍ତମାନ ଦଶହରା ଉପଲକ୍ଷେ ମାଆଙ୍କ ପୀଠରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ମା ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା 10 ପିଢ଼ି ହେଲା କ୍ଷତ୍ରିୟମାନେ ବା ରାଜାଙ୍କ ବଂଶଜ କରିଆସୁଛନ୍ତି । ଏଠାରେ ରାଜସିକ ପଦ୍ଧତିରେ ମା'ଙ୍କ ପୂଜାର୍ଚ୍ଚନା ହୋଇଥାଏ । ଏହି ପୀଠରେ ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା'ଙ୍କ 16ଟି ଜ୍ୟୋତି ସ୍ୱରୂପକୁ ପୂଜା କରାଯାଏ । ପ୍ରତ୍ୟେକ ଦିନ ସମଲେଶ୍ବରୀଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଲାଗି ହୋଇଥାଏ ।
ସେହିପରି ମୁଖ୍ୟ ପୂଜକଙ୍କୁ ଏହି 16 ଦିନ ଧରି ନିଷ୍ଠାର ସହ ନୀତି ନିୟମ ପାଳନ କରିବାକୁ ପଡିଥାଏ । ଏହି 16 ଦିନ ପୂଜକ ଭୂମିରେ ଶୟନ କରନ୍ତି । ବାହାର ଖାଦ୍ୟ ବାରଣ କରିବାକୁ ପଡିଥାଏ । ବ୍ରହ୍ମଚର୍ଯ୍ୟ ପାଳନ କରିବା ସହ ସ୍ୱତନ୍ତ୍ର ନୀତିନିୟମ ଅବଲମ୍ବନ କରିବାକୁ ପଡିଥାଏ ମୁଖ୍ୟ ପୂଜକଙ୍କୁ । ଏହାପରେ କୁମାରପୂର୍ଣ୍ଣିମା ତିଥିରେ ମା ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଏବଂ ଏହି ଏହି ଦିନ ରାତ୍ରିରେ ମା ସମଲେଇଙ୍କ ମନ୍ଦିରର ନୂତନ ଧ୍ଵଜ ଆରୋହଣ ହୋଇଥାଏ ।
କିମ୍ବଦନ୍ତୀ ଅନୁଯାୟୀ, ପୂର୍ବ କାଳରେ ଲୋକଙ୍କ ଯାତାୟାତ ମୁଖ୍ୟ ମଧ୍ଯ ଥିଲା ନଦୀ ପଥ । ଛତିଶଗଡ଼ରୁ ଆରମ୍ଭ କରି ପଶ୍ଚିମ ଓଡିଶାର ଲୋକେ ମହାନଦୀରେ ନୌକା ଜରିଆରେ ଉପକୂଳ ଜିଲ୍ଲାକୁ ଯାଉଥିଲେ ଓ ବ୍ୟବସାୟ କରୁଥିଲେ । ଏହି ମହାନଦୀର ପଥରେ "ଗୁମ-ଦରହ" ନାମକ ଏକ ଗଣ୍ଡ ଥିଲା, ଯେଉଁଠି ଅକାତକାତ ପାଣି ରହୁଥିଲା । ଆଉ ଏହି ସ୍ଥାନକୁ ମା' ସମଲେଶ୍ବରୀଙ୍କ ପ୍ରକୃତ ନିବାସ ବୋଲି ଲୋକେ ବିଶ୍ୱାସ କରୁଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀ, ଝରା ଜନଜାତିର ଲୋକ ମା'ଙ୍କୁ ନଦୀ ଭିତରେ ପୂଜା କରୁଥିଲେ । ନଦୀ ପଥରେ ଯାଉଥିବା ନାବିକ ଓ ନୌଯାତ୍ରୀମାନେ ମଧ୍ୟ ନିଜର ସୁରକ୍ଷିତ ଯାତ୍ରା ପାଇଁ ମା'ଙ୍କୁ ପୂଜା କରୁଥିଲେ । ଏହାପରେ 1556 ମସିହାରେ ରାଜା ମହାରାଜା ବଳରାମ ଦେବ ସମ୍ବଲପୁର ସହର ପୁନର୍ଗଠନ କରିବା ସମୟରେ ମହାନଦୀ କୂଳରେ ମା ସମଲେଶ୍ବରୀଙ୍କ ମନ୍ଦିର ନିର୍ମାଣ କରି ମା'ଙ୍କ ପ୍ରତିଷ୍ଠା କରିଥିଲେ । ସେହିଦିନ ଠାରୁ ମା' ଏହି ମନ୍ଦିରରେ ପୂଜା ପାଉଛନ୍ତି ।
ସେହିପରି ମା ସମଲେଶ୍ବରୀଙ୍କ ଠାରେ ଅଗାଢ ବିଶ୍ବାସ ଯୋଗୁଁ ବର୍ଷ ତମାମ୍ ମାଙ୍କ ଦର୍ଶନ ପାଇଁ ତାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଜିଲ୍ଲା ତଥା ଜିଲ୍ଲାବାହାରୁ ଶହ ଶହ ଶ୍ରଦ୍ଧାଳୁ ଏଠାରୁ ଆସି ମା'ଙ୍କ ସାନିଧ୍ୟ ଲାଭ କରିଥାନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ