ସମ୍ବଲପୁର: ବିଶ୍ବ ବିଦ୍ୟାଳୟର ତ୍ରୁଟିପୂର୍ଣ୍ଣ କାର୍ଯ୍ୟଶୈଳୀକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗ୍ରେଡିଂ ବ୍ୟବସ୍ଥା ହେଉ କିମ୍ବା ମାର୍କସିଟ ଦେବାରେ ବିଳମ୍ବ, ସବୁକ୍ଷେତ୍ରରେ ଛାତ୍ରଛାତ୍ରୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପରୀକ୍ଷା ନିରୀକ୍ଷକଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଛି ।
ବିଶ୍ବ ବିଦ୍ୟାଳୟର ତ୍ରୁଟିପୂର୍ଣ୍ଣ ଗ୍ରେଡିଂ ବ୍ୟବସ୍ଥା ଯୋଗୁଁ ବହୁ ଛାତ୍ରଛାତ୍ରୀ ଡିଷ୍ଟିଂସନ ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ବିଶ୍ବ ବିଦ୍ୟାଳୟ ଅଧିନସ୍ଥ ବହୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କର୍ତ୍ତୃପକ୍ଷ UGC ନିୟମକୁ ଉଲଙ୍ଘନ କରିଥିବା ମଧ୍ୟ କହିଛନ୍ତି ଛାତ୍ରଛାତ୍ରୀ । ସେହିପରି ମାର୍କସିଟ ଦେବାରେ ମଧ୍ୟ ବିଶ୍ବ ବିଦ୍ୟାଳୟ ବହୁ ବିଳମ୍ବ କରୁଛି । ଉତ୍କଳ ୟୁନିଭରସିଟିରେ ପିଜି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ 30 ରହିଥିବା ବେଳେ ସମ୍ବଲପୁର ୟୁନିଭରସିଟିରେ ଏପର୍ଯ୍ୟନ୍ତ ପିଲାଙ୍କୁ ମାର୍କସିଟ ମିଳିନି । ଯେଉଁଥିପାଇଁ ଛାତ୍ରଛାତ୍ରୀ ଆବେଦନ ମଧ୍ୟ କରିପାରୁନଥିବା ଅଭିଯୋଗ କରିଛନ୍ତି ।
ସେପଟେ ପିଲାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ । ପରୀକ୍ଷା ନିୟନ୍ତ୍ରକ ସୂର୍ଯ୍ୟନାରାୟଣ ନାଏକ କହିଛନ୍ତି, UGC ଗାଇଡ ଲାଇନ ଅନୁସାରେ ସବୁକିଛି ହେଉଛି । ଖୁବଶୀଘ୍ର ପିଲାଙ୍କୁ ମାର୍କସିଟ ପ୍ରଦାନ କରାଯିବ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ