ସମ୍ବଲପୁର: ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାନକ୍ରୟ ନୀତିକୁ ବିରୋଧ କରି ଶନିବାର ସମଗ୍ର ପଶ୍ଚିମ ଓଡ଼ିଶାରେ ହେବ ଚାଷୀ ଆନ୍ଦୋଳନ । 'ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ମୟ ସମିତି' ର ଆହ୍ବାନ କ୍ରମେ ଏହି ଆନ୍ଦୋଳନ ହେବ ବୋଲି ଜଣାପଡିଛି ।
ଶନିବାର ହେବାକୁ ଥିବା ଏହି ଆନ୍ଦୋଳନ ଚାଷୀଙ୍କର ଦ୍ବିତୀୟ ଆନ୍ଦୋଳନ । ସମ୍ବଲପୁର ସମେତ ସମଗ୍ର ପଶ୍ଚିମାଞ୍ଚଳରେ ଚାଷୀ କରିବେ ରାଜପଥ ଅବରୋଧ । ଶନିବାର ସକାଳ ୧୦ ଟାରୁ ସମ୍ବଲପୁରର ଚୌଧୁରୀ ଛକ ଠାରେ ଚାଷୀମାନେ ନିଜର ଧାନବସ୍ତା ଆଣି ରାଜରାସ୍ତା ଉପରେ ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ମୁଖ୍ୟତଃ ଧାନସଂଗ୍ରହ ପ୍ରକ୍ରିୟାରେ ଥିବା ଟୋକନ ବ୍ୟବସ୍ଥାର ଉଚ୍ଛେଦ ତଥା କେଉଁ ଜିଲ୍ଲାରେ ଏକର ପ୍ରତି କେତେ ଧାନସଂଗ୍ରହ ହେବ ତାହା ରାଜ୍ୟ ସ୍ତରରେ ନିଷ୍ପତ୍ତି ନିଆନଯାଇ ଜିଲ୍ଲା ସ୍ତରରେ ନିଷ୍ପତ୍ତି ନିଆଯାଉ ବୋଲି ଚାଷୀ ଦାବି କରଛନ୍ତି ।
ଶୁକ୍ରବାର ସଂଧ୍ୟା ସୁଦ୍ଧା ଦାବି ପୂରଣ ନ ହେଲେ ଶନିବାର ନିଶ୍ଚିତ ଭାବରେ ଆନ୍ଦୋଳନ ହେବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଅପରପକ୍ଷରେ ଶନିବାର ଚାଷୀଙ୍କ ରାଜରାସ୍ତା ଅବରୋଧ ଆନ୍ଦୋଳନକୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସମର୍ଥନ କରିଛନ୍ତି । ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ତ୍ରୁଟିପୂର୍ଣ୍ଣ ରହିଛି ଏବଂ ଏଥିରେ ସୁଧାର ହେବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ତିନୋଟି କୄଷି ଆଇନ ଚାଷୀମାନଙ୍କର ହିତ ପାଇଁ କରାଯାଇଛି ବୋଲି ସେ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ