ସମ୍ବଲପୁର: ରାଜ୍ୟରେ ସର୍ବାଧିକ ଧାନ ଚାଷ ବରଗଡ ପରେ ସମ୍ବଲପୁର ଜିଲ୍ଲାରେ ଉତ୍ପାଦିତ ହୋଇଥାଏ । ହୀରାକୁଦ ଡ୍ୟାମର ଜଳସେଚିତ ଅଞ୍ଚଳରେ ଏହି ଦୁଇଟି ଜିଲ୍ଲାର ଅଧିକାଂଶ ଅଞ୍ଚଳ ରହିଛି । ଫଳରେ ଏହି ଦୁଇ ଜିଲ୍ଲାରେ ଉଭୟ ଖରିଫ ଓ ରବି ଋତୁରେ ଧାନ ଚାଷ କରାଯାଏ । ହେଲେ ଧାନ କିଣାବିକାକୁ ନେଇ ଏଠାକାର ଚାଷୀ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ହୀରକୁଦର କମାଣ୍ଡ ଅଞ୍ଚଳରୁ ପ୍ରଯ୍ୟାପ୍ତ ପରିମାଣର ଧାନ ଚାଷ ସତ୍ତ୍ବେ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିପାରୁ ନାହିଁ । ଯାହାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ଦେଖିବାକୁ ମିଳେ । ତେବେ ଏହି ସମସ୍ୟାର ମୂଳ କାରଣ ହେଉଛି 20 ବର୍ଷ ଧରି ଶାସନ କରୁଥିବା ସରକାରଙ୍କ । ଯିଏ କି ଆଜି ପର୍ଯ୍ୟନ୍ତ ଧାନ ଗୋଦାମ ଘର କିମ୍ବା ୱେର ହାଉସ ବ୍ୟବସ୍ଥା କରିପାରିଲେ ନାହିଁ ।
ଏଥିପାଇଁ 2003ରେ ୱେର ହାଉସ ଓ ଗୋଦାମ ବ୍ୟବସ୍ଥା ଲାଗୁ କରିବାକୁ ଚାଷୀ ସଙ୍ଗଠନ ଦାବି କରିଥିଲେ ମଧ୍ୟ ଆଜି ଯାଏଁ ପୁରା ହୋଇପାରି ନାହିଁ । କେବଳ କାଗଜ କଲମରେ ସୀମିତ ରହିଯାଇଛି ଚାଷୀଙ୍କ ଗୋଦାମ ଘରର ସ୍ବପ୍ନ ।
ରାଜ୍ୟ ସରକାରଙ୍କ ଧାନ କ୍ରୟ ନୀତିରେ ମୂଳରୁ ହିଁ ୱେର ହାଉସ କିମ୍ବା ଷ୍ଟୋରର ବ୍ୟବସ୍ଥା ନାହିଁ। ଆଉ ତ୍ରୁଟିପୂର୍ଣ୍ଣ କୃଷିନୀତି ଯୋଗୁଁ ରାଜ୍ୟର ଚାଷୀକୂଳ ସବୁବେଳେ କ୍ଷତି ସହି ଆସୁଛନ୍ତି । ଯାହାକୁ ନେଇ ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ସମନ୍ବୟ ସମିତି ଆବାହକ ଅଶୋକ ପ୍ରଧାନ ଅଭିଯୋଗ ଆଣିଛନ୍ତି । ସେହିପରି ସମବାୟ ସମିତି ଜରିଆରେ ସରକାର ଜିଲ୍ଲାର ଚାଷୀଙ୍କ ଠାରୁ 7000 କୋଟି ଟଙ୍କାର ଧାନ କିଣୁଛନ୍ତି । ହେଲେ ସରକାରଙ୍କ ନିଜସ୍ବ ୱେର ହାଉସ ନଥିବାରୁ ସିଧାସଳଖ ସମସ୍ତ ଧାନକୁ ମିଲକୁ ପଠାଇ ଦିଆଯାଉଛି । ଆଉ ଯାହାର ଫାଇଦା ମିଲର୍ସମାନେ ନେଉଥିବା ଅଭିଯୋଗ ହେଉଛି।
ଧାନର ମାନ ଭଲ ନାହିଁ କହି 1 କ୍ବିଣ୍ଟାଲ ପିଛା 10 କେଜି ପର୍ଯ୍ୟନ୍ତ କାଟି ଦେଉଛନ୍ତି । ଫଳରେ କଟନୀ ଛଟନୀର ଶିକାର ହେଉଛନ୍ତି । ଏପରିକି ଧାନ କିଣିବା ପରେ 1 କିଣ୍ବାଲ ଧାନ ବଦଳରେ ମିଲର ସରକାରଙ୍କୁ 68 କେଜି ଧାନ ଦେବା କଥା । ୱେର ହାଉସ ନଥିବାରୁ ମିଲର କେତେ ଧାନ ନେଉଛନ୍ତି ଓ କେତେ ପରିମାଣର ଚାଉଳ ଫେରାଉଛନ୍ତି ତାହାର ମଧ୍ୟ ହିସାବ ନାହିଁ । ଏପରି ମିଲର୍ସଙ୍କ ଉପରେ ସରକାର ପଦକ୍ଷେପ ଲୋକଦେଖାଣିଆ ସ୍ବରୂପ ବ୍ଲାକ ଲିଷ୍ଟ କରିଦିଅନ୍ତି। ଓଲଟା ବିଭିନ୍ନ ସମସ୍ୟା ଦେଖାଇ ମିଲରମାନେ ପ୍ରଶାସନକୁ ବ୍ଲାକ ମେଲ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । କେତେକ ଅସାଧୁ ମିଲର ନିଜ ମିଲରେ ଥିବା ସରକାରୀ ଧାନକୁ ଦେଖାଇ ବିଭିନ୍ନ ରାଷ୍ଟ୍ରୟତ ବ୍ୟାଙ୍କରୁ କୋଟି କୋଟିର ଋଣ ଆଣୁଛନ୍ତି ବୋଲି ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି ।
ଏହି ପ୍ରସଙ୍ଗରେ ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାଏକ କହିଛନ୍ତି, ସେମାନେ ଦୀର୍ଘ ବର୍ଷ ହେବ ଧାନ ପ୍ରକ୍ରିୟାରେ ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି । ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷି ନୀତି ପାଇଁ ଚାଷୀ ନାହିଁନଥିବା ଯନ୍ତ୍ରଣା ଭୋଗୁଛି । ତେଣୁ ଏହି କୃଷି ନୀତିରେ ପରିବର୍ତ୍ତନ ଆଣିବାକୁ ସେ ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀ ମୁହଁ ଖୋଲୁନାହାଁନ୍ତି ।
ଅନ୍ୟପଟେ, ରାଜ୍ୟର ପଡୋଶୀ ରାଜ୍ୟମାନଙ୍କରେ ୱେର ହାଉସର ବ୍ୟବସ୍ଥା ରହିଛି । ୱେର ହାଉସରେ ଚାଷୀ ବିକ୍ରି କରିଥିବା ଧାନର କୌଣସି କ୍ଷତି ହେଲେ ତାହା ସରକାର ହିଁ ଭରଣା କରନ୍ତି । କିନ୍ତୁ ଓଡିଶାରେ ସବୁ ଧାନ ମିଲକୁ ଯିବା ସହ ଧାନରେ କ୍ଷତି ହେଲେ ଚାଷୀଙ୍କୁ ଭରଣା ଭରିବାକୁ ହୁଏ । ଯଦ୍ବାରା ଓଡିଶାର ଚାଷୀ ସର୍ବଦା ସରକାର-ମଲିର୍ସଙ୍କ ମଧୁଚନ୍ଦ୍ରିକାରେ ଛନ୍ଦି ହୋଇ ନାନା ଶୋଷଣ ଶିକାର ହେବାକୁ ପଡୁଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ