ସମ୍ବଲୁପୁର: ଦେଶର ସ୍ୱାଧୀନତା ପରେ 60 ଦଶକରେ ଖାଦ୍ୟସଙ୍କଟ ଦୂର କରିବାକୁ ଆରମ୍ଭ ହୋଇଥିଲା ସବୁଜ ବିପ୍ଳବ । ଏହାସହିତ ଆରମ୍ଭ ହୋଇଥିଲା କୃଷି କ୍ଷେତ୍ରରେ ରାସାୟାନିକ ସାର ଓ କୀଟନାଶକର ପ୍ରୟୋଗ । ଏହାଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବା ସହ ଖାଦ୍ୟ ସଙ୍କଟ ତ ଦୂର ହୋଇଗଲା । କିନ୍ତୁ ଏହାର ପ୍ରଭାବରେ ଲୋକମାନେ କମ୍ ବୟସରେ ବିଭିନ୍ନ ଦୁରାରୋଗ୍ୟରେ ପୀଡିତ ହେବାକୁ ଲାଗିଲେ । ଏହିସବୁ କାରଣରୁ ବର୍ତ୍ତମାନ ପୁଣି ଜୈବିକ କୃଷି ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ମାତ୍ର ଦେଶରେ ଦେଶୀ ଚାଷ, ବିହନ ଓ ଦେଶୀ ଜ୍ଞାନକୌଶଳ ଧୀରେ ଧୀରେ ଲୋପ ପାଇବାକୁ ବସିଛି । ଅଧିକ ଅମଳ ପାଇଁ ରାସାୟନିକ ସାରର ବ୍ୟବହାର ବଢୁଛି । ଏପରି ସ୍ଥିତିରେ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକର 3ଟି ପଞ୍ଚାୟତ ଅନ୍ତର୍ଗତ 16 ଖଣ୍ଡ ଗାଁ ଲୋକେ ଏବେ ମଧ୍ୟ ପାରମ୍ପରିକ ଦେଶୀ ବିହନ ଓ ଜୈବିକ କୃଷିକୁ ବଞ୍ଚାଇ ରଖିଛନ୍ତି । ଏଥିପାଇଁ ସେମାନେ ଦେଶୀ ବିହନ ସୁରକ୍ଷା ମଞ୍ଚ ପ୍ରତିଷ୍ଠା କରି ଏକ ଦେଶୀ ବିହନ ବ୍ୟାଙ୍କ ପ୍ରତିଷ୍ଠା କରିବା ସହ ଜୈବିକ କୃଷି ଉପରେ ସଚେତନତା ଅଭିଯାନ ଜାରି ରଖିଛନ୍ତି ।
ପ୍ରାଚୀନ କାଳରୁ ଆମ ଦେଶ ଏକ କୃଷିପ୍ରଧାନ ଦେଶ । ଭାରତର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ପ୍ରାଚୀନ କାଳରୁ ଦେଶରେ ପାରମ୍ପରିକ ଦେଶୀ ପଦ୍ଧତିରେ ଚାଷ ହୋଇଆସୁଥିଲା । ତେବେ 50 ବର୍ଷ ତଳେ ପାଶ୍ଚାତ୍ୟ ଦେଶର ପ୍ରଭାବରେ ଆମେ ପାରମ୍ପରିକ ଦେଶୀ ବିହନ ଓ ଦେଶୀ ଚାଷ ଛାଡି ରାସାୟାନିକ ସାର ଓ କୀଟନାଶକ ସାର ପ୍ରୟୋଗ ଆରମ୍ଭ କଲେ । ଏହାଦ୍ୱାରା ଉତ୍ପାଦନ ଅଧିକ ହେଲା ସତ ହେଲେ ଲୋକେ ମାରାତ୍ମକ ରୋଗର ଶିକାର ହେଲେ । ଦେଶୀ ବିହନ ଲୋପ ପାଇବାରୁ ହାଇବ୍ରିଡ଼ ଧାନ ଚାଷ ଯୋଗୁଁ ରାସାୟାନିକ ସାର, କୀଟନାଶକ ଉପରେ ଚାଷୀ ନିର୍ଭରଶୀଳ ହୋଇ ଘରୋଇ କମ୍ପାନୀ ଓ ସରକାରଙ୍କ ଉପରେ ଅଧିକ ନିର୍ଭର କରି ନିଜର ଆତ୍ମନିର୍ଭରଶୀଳତା ହରାଇ ଋଣଗ୍ରସ୍ତ ହେବାକୁ ଲାଗିଲେ । ଏଭଳି ସ୍ଥିତିରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇଲା । ଏହିଭଳି ପରିସ୍ଥିତିକୁ ଦେଖି 2016 ମସିହାରେ ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ମେଘପାଲ ପଞ୍ଚାୟତ ଅନ୍ତର୍ଗତ ରାନତାଳ ଗାଁର 40 ଜଣ ଚାଷୀ ଦେଶୀ ବିହନ ସୁରକ୍ଷା ମଞ୍ଚ ପ୍ରସ୍ତୁତ କରିଥିଲେ । ‘ପତଙ୍ଗ’ ଅନୁଷ୍ଠାନର ସହାୟତାରେ 11 ପ୍ରକାର ଦେଶୀ ଧାନ ବିହନ ସଂଗ୍ରହ କରି ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ । ଏହାଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହେବା ସହ ବର୍ତ୍ତମାନ ସୁସ୍ଥ ଓ ନିରୋଗ ଜୀବନ ଜୀଉଛନ୍ତି ।
ଜୈବିକ ଚାଷ ପ୍ରଣାଳୀରେ ସଫଳ ହେବା ପରେ ବର୍ତ୍ତମାନ ଯୁଜୁମୁରା ବ୍ଲକର କାୟକୁଦ, କଂସର, ଛାମୁଣ୍ଡା ଆଦି ପଞ୍ଚାୟତର 16 ଖଣ୍ଡ ଗାଁର 400 ଚାଷୀ କେବଳ ଦେଶୀ ବିହନରେ ବିନା ରାସାୟାନିକ ସାର ପ୍ରୟୋଗରେ ଜୈବିକ ଚାଷ କରି ସଫଳତା ପାଇଛନ୍ତି । ଏହାଦ୍ୱାରା ଚାଷୀମାନେ ନିରୋଗ, ସୁସ୍ଥ, ଋଣମୁକ୍ତ ହେବା ସହ ଚାଷ ପାଇଁ ଆଉ ସରକାର ଅଥବା ବଜାର ଉପରେ ନିର୍ଭର କରୁନାହାଁନ୍ତି । ବର୍ତ୍ତମାନ ଏହି ଚାଷୀମାନେ ଦଶମତି, କୁସୁମକଲି, ସୁନାହରିଣୀ,ସୁନା କାଠି, କଳାବତୀ, ବଗରିଜୁଳୀ, ରଜନୀ ସୁପର ପରି ବିଭିନ୍ନ ପ୍ରଜାତିର ପ୍ରାୟ 11 ପ୍ରକାର ଦେଶୀ ଧାନ ବିହନ ବଞ୍ଚାଇ ରଖିବା ସହ ମାଣ୍ଡିଆ, ଡାଲି ଜାତୀୟ ଓ ତୈଳବିଜ ଜାତୀୟ ଦେଶୀ ବିହନ ବଞ୍ଚାଇ ରଖିଛନ୍ତି । ଏହି କାର୍ଯ୍ୟରେ ‘ପତଙ୍ଗ’ ଅନୁଷ୍ଠାନ ସେମାନଙ୍କୁ ସହାୟତା କରି ଆସୁଛି ।
ଏହିଭଳି ଦେଶୀ ବିହନ ସଂରକ୍ଷଣ ଓ ଦେଶୀ ବିହନରେ ଜୈବିକ ଚାଷ କାର୍ଯ୍ୟରେ ଅଞ୍ଚଳର ଚାଷୀଙ୍କୁ ସହାୟତା କରିଆସୁଛି ପତଙ୍ଗ ଅନୁଷ୍ଠାନ । ଦେଶୀ ବିହନର ଔଷଧୀୟ ଗୁଣ, ବିହନ ରୋଗ ପ୍ରତିରୋଧକ ଶକ୍ତି ତଥା ଏହି ଚାଷରେ ବ୍ୟବହାର ହେଉଥିବା ଜୈବିକ ସାରର ପ୍ରୟୋଗ ଆଦି ଉପରେ ସଚେତନତା କରାଯାଉଛି । ଏହାଦ୍ୱାରା ଚାଷୀ ଚାଷ କାର୍ଯ୍ୟ ପାଇଁ ସରକାର ଓ ବଜାର ଉପରେ ନିର୍ଭର ନକରି ଆତ୍ମନିର୍ଭରଶୀଳ ହେଉଛି । ଉତ୍ପଦାନ ଖର୍ଚ୍ଚ କମିବାରୁ ଚାଷୀ ଋଣମୁକ୍ତ ରହୁଛି । ନିଜେ ବିଷମୁକ୍ତ ଖାଦ୍ୟ ଖାଇବା ସହ ଅନ୍ୟକୁ ମଧ୍ୟ ବିଷମୁକ୍ତ ଖାଦ୍ୟ ଯୋଗାଇ ଆସୁଛି । ଏଥିପାଇଁ ଏହି ଅଞ୍ଚଳରେ ଦେଶୀ ବିହନ ସୁରକ୍ଷା ମଞ୍ଚ ଓ "ପତଙ୍ଗ" ଅନୁଷ୍ଠାନ ପକ୍ଷରୁ ଦେଶୀ ବିହନ ପର୍ବ ଅନୁଷ୍ଠିତ କରାଯାଇ ଚାଷୀଙ୍କୁ ସଚେତନ କରାଯାଇ ଚାଷୀ କିପରି ଦେଶୀ ବିହନରେ ଜୈବିକ ଚାଷ ପ୍ରତି ଆକୃଷ୍ଟ ହେବେ ସେନେଇ ସଚେତନତା କରାଯାଉଛି । ଏହି ଅଞ୍ଚଳର ଏହି ଚାଷୀଙ୍କ ଲକ୍ଷ୍ୟ ରହିଛି ଯେ ଋଣମୁକ୍ତ ଚାଷୀ, ବିଷମୁକ୍ତ ଶସ୍ୟ, ଆତ୍ମନିର୍ଭରଶୀଳ କୃଷି ଓ ସୁସ୍ଥ ଖାଉଟି । ଏହି ଲକ୍ଷ୍ୟ ରଖି ଜୈବିକ କୃଷି କରୁଥିବା ଚାଷୀମାନେ ଆଗାମୀ ଦିନରେ ସମ୍ବଲପୁରବାସୀଙ୍କୁ ବିଷମୁକ୍ତ ଖାଦ୍ୟ ଯୋଗାଇବେ ବୋଲି ଆଶା ରଖିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର