ସମ୍ବଲପୁର: ଜିଲ୍ଲାରେ ଥମିବାର ନାଁ ନେଉନାହିଁ ଚାଷୀ ଅସନ୍ତୋଷ । ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତିକୁ ନେଇ ବିଗତ କିଛି ମାସ ହେଲା ଚାଷୀମାନେ ନିୟମିତ ଅନ୍ତରାଳରେ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରି ଆସୁଛନ୍ତି । ଏହି କ୍ରମରେ ଗୁରୁବାର ସମ୍ବଲପୁର ସ୍ଥିତ କୋ-ଅପରେଟିବ ସୋସାଇଟିର ଡେପୁଟି ରେଜିଷ୍ଟ୍ରାରଙ୍କ ଅଫିସରେ ତାଲା ମାରିଛନ୍ତି ଚାଷୀ ।
ସମ୍ବଲପୁର ଚାଷୀଙ୍କ ଅଭିଯୋଗ ଅନୁସାରେ ରେମେଡ ଅଞ୍ଚଳର ଗଡ଼ମୁଣ୍ଡା ପଞ୍ଚାୟତର ପ୍ରାୟ 208 ଜଣ ଚାଷୀ ଆଜି ପର୍ଯ୍ୟନ୍ତ 2017-18 ଓ 2018-19 ବର୍ଷର ଫସଲହାନି ଜନିତ ବୀମା ରାଶି ପାଇ ନାହାନ୍ତି । ଏନେଇ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ପାଖରେ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ଲାଭ ହୋଇନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଫଳରେ ବାଧ୍ୟ ହୋଇ ଗୁରୁବାର ଚାଷୀ ମାନେ ନିଜର ଅସନ୍ତୋଷ ଜାହିର କରିବା ପାଇଁ ସମ୍ବଲପୁର ସ୍ଥିତ କୋ-ଅପରେଟିବ ସୋସାଇଟିର ଡେପୁଟି ରେଜିଷ୍ଟ୍ରାରଙ୍କ ଅଫିସରେ ତାଲା ମାରିଛନ୍ତି । ଏହା ସହ ସରକାରଙ୍କ ଧାନ କ୍ରୟ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାକୁ ମଧ୍ୟ ଏହି ଚାଷୀ ବିରୋଧ କରିବା ସହ ଏହାର ଉଚ୍ଛେଦ ଦାବି କରିଛନ୍ତି ।
ବର୍ତ୍ତମାନ ପ୍ରଚଳିତ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ବହୁତ କମ ସମୟ ମିଳୁଥିବାରୁ ବହୁ ଚାଷୀଙ୍କ ଧାନ ଆଜି ପର୍ଯ୍ୟନ୍ତ ବିକ୍ରି ନହୋଇ ଖଳାରେ ପଡିରହିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ