ସମ୍ବଲପୁର: ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଅତ୍ୟଧିକ କର୍ମଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ଧର୍ମରାଜ ଦଲପଥ ନାମକ ଜଣେ କର୍ମଚାରୀ ସମ୍ବଲପୁର ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟରେ ଦୀର୍ଘ 33 ବର୍ଷ ଧରି କିରାଣୀ କାମ କରୁଥିଲେ । କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ମାନସିକ ଚାପ ରହୁଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ । ସେ କମ୍ପ୍ୟୁଟର ଶିଖିନଥିବାରୁ ହାତରେ କାର୍ଯ୍ୟ କରୁଥିଲେ । ଏଣୁ କଲେଜ ଅଧ୍ୟକ୍ଷ ତାଙ୍କୁ ପସନ୍ଦ କରୁନଥିବା ସହ ବାରମ୍ବାର ତାଙ୍କୁ ଗାଳି ଶୁଣିବାକୁ ପଡୁଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ମୃତକଙ୍କ ବୟସ ଅଧିକ ହୋଇଥିବାରୁ ସେ ଅତ୍ୟଧିକ ମାନସିକ ଚାପରେ ରହୁଥିଲେ । ତେବେ ଗୁରୁବାର ଦିନ ପ୍ରାୟ 12ଟା ସମୟରେ ମହାବିଦ୍ୟାଳୟର ରୁମ ନଂ ୨ରେ ତାଙ୍କ ମୃତଦେହ ଝୁଲୁଥିବାର ଜଣେ କର୍ମଚାରୀ ଦେଖିଥିଲେ। ଏହାପରେ ଧର୍ମରାଜଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିଲା ।
ଖବର ପାଇବା ପରେ ଘଟଣାସ୍ଥଳରେ ଧନୁପାଲି ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲାକୁ ପଠାଇଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ଦାୟର ହୋଇଛି । ଅନ୍ୟପଟେ କଲେଜ ଅଧ୍ୟକ୍ଷ ବିଜୟା ନନ୍ଦ ବେହେରା ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଥିବା ସୂଚନା ମିଳିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରାଣା, ଇଟିଭି ଭାରତ