ସମ୍ବଲପୁର: ଆଷାଢ଼ ଯାଇ ଶ୍ରାବଣ ଆସିଲା । ହେଲେ ସମ୍ବଲପୁର ଜିଲ୍ଲାରେ ବର୍ଷାର ନାଁ ଗନ୍ଧ ନାହିଁ । ଜୁଲାଇ ମାସରେ ସ୍ବାଭାବିକ ଅପେକ୍ଷା 50 ପ୍ରତିଶତ ବର୍ଷା କମ ହୋଇଛି । ଫଳରେ ଜମି ଫାଟି ଆଁ କଲାଣି । ଏନେଇ ଚିନ୍ତାରେ ଚାଷୀ । କେଉଁଠି ଗଜା ମରୁଡି ଆଶଙ୍କା ତ କେଉଁଠି ତଳି ନଷ୍ଟ ହେବା ଉପରେ । ଏପଟେ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ବହୁତ କମ ଥିବାରୁ ଜଳସେଚିତ ଅଞ୍ଚଳରେ ମଧ୍ୟ ତଳ ମୁଣ୍ଡକୁ କେନାଲରେ ପାଣି ଆସୁନି।
ସମ୍ବଲପୁରରେ ମରୁଡି ଆଶଙ୍କା । ସେଥିପାଇଁ ଏବେ ଚିନ୍ତାରେ ଚାଷୀ । ଗୋଟିଏ ଚାଷୀ 1 ଏକର ଜମିରେ ଏବେ ପ୍ରାୟ 20 ହଜାର ଟଙ୍କା ନିବେଶ କରିସାରିଛି । ଏପଟେ ବର୍ଷା ନହେବାରୁ କେଉଁଠି ତଳି ରୁଆ ପାଇ ଥିବା ଫସଲ ମରି ଗଲାଣି ତ କେଉଁଠି ଜମି ଫାଟି ଆଁ କଲାଣି । ଫଳରେ ମରୁଡି ଆଶଙ୍କାରେ ଚାଷୀ ଦିନ କାଟୁଛି । ସମ୍ବଲପୁର ଜିଲ୍ଳାରେ ଆଜି ସୁଦ୍ଧା ମାତ୍ର 216.40 ଏମଏମ ବର୍ଷା ରେକର୍ଡ ହୋଇଛି, ଯାହା ବହୁତ କମ ଅଟେ ।
ଏହି ସମୟରେ ସମ୍ବଲପୁର ଜିଲ୍ଲାରେ 429 ଏମଏମ ବର୍ଷା ହେବା କଥା । ଯାହାକି ଚଳିତ ବର୍ଷ ହୋଇନାହିଁ । ଫଳରେ ଏବେ ଅନେକ ସ୍ଥାନରେ ମରୁଡି ସମସ୍ୟା ଦେଖାଯାଇଛି । ସେପଟେ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ଆଜି 598.50 ଫୁଟ ରହିଛି । ଗତ ବର୍ଷ ଏହି ସମୟରେ ଜଳସ୍ଥର ପ୍ରାୟ 612 ଫୁଟ ରହିଥିବା ବେଳେ ଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇସାରିଥିଲା। ତେବେ ବର୍ଷାର ଅଭାବ ଯୋଗୁଁ ଏବେ ଡ୍ୟାମ ପରିପୂର୍ଣ୍ଣ ହେବାକୁ ଆହୁରି 31 ଫୁଟ ଜଳର ଆବଶ୍ୟକତା ରହିଛି ।
କର୍ବ ରୂଲ ଅନୁସାରେ ସମୟ ଅନୁଯାୟୀ ଡ୍ୟାମର ଜଳସ୍ଥର ନିର୍ଦ୍ଧାରିତ କରି ଜଳ ପରିଚାଳନା କରାଯାଉଥିବାରୁ ଏବେ ଏପରି ଜଳସଂକଟ ପାରମ୍ପରିକ ଡ୍ୟାମ ପରିଚାଳନା ଉପରେ ପ୍ରଭାବ ପକାଇଛି । ଫଳରେ ସରକାରୀ ନିର୍ଦ୍ଦେଶ କ୍ରମେ ଏପରି ସ୍ଥିତି ଜାରି ରହିଲେ କେନାଲ ଗୁଡିକରେ ଆଉ ପୂର୍ବପରି ନିରନ୍ତର ପାଣି ଦିଆନଯାଇ ରୋଟେସନ ପ୍ରୋସେସରେ ପାଣି ଦିଆଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି । କିନ୍ତୁ ଏଭଳି ପ୍ରକ୍ରିୟାରେ ପାଣି ଦିଆଗଲେ କାହାରିକୁ ଲାଭ ହେବନି ବୋଲି ଚାଷୀ କହିଛନ୍ତି ।
ଯଦି ଏପରି ପରିସ୍ଥିତି ଜାରି ରହେ ତେବେ ମରୁଡି ଯୋଗୁଁ ଚାଷୀଙ୍କ ବହୁ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ