ସମ୍ବଲପୁର: ଐତିହାସିକ ସମ୍ବଲପୁର ସହର ହେଉଛି ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଓ ବୈଷୟିକ ପ୍ରାଣକେନ୍ଦ୍ର । ଏହାସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହା ଅନେକ ଗୁରୁତ୍ବ ବହନ କରେ । ବିଗତ 5 ବର୍ଷ ତଳେ ଏହି ସହର ମହନଗରର ମାନ୍ୟତା ପାଇ ସରିଛି । ବିଭିନ୍ନ ସମୟରେ ଏଠିକାର ଲୋକେ ଏହି ସହରକୁ ସ୍ମାର୍ଟ ସିଟି ଭାବେ ଦେଖିବାକୁ ଚାହାଁନ୍ତି ଓ ଦାବି ମଧ୍ୟ କରନ୍ତି । ତେବେ ବର୍ଷା ଦିନ ଆସିଲେ ଲୋକେ ଆତଙ୍କିତ ହୋଇଯାଆନ୍ତି । ଏହାର କାରଣ ହେଉଛି ଅବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥା ।
ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ହେଉଛି ସମ୍ବଲପୁର ।ତ ପ୍ରଶାସନିକ, ରାଜନୈତିକ ଓ ବୈଷୟିକ ଦୃଷ୍ଟିରୁ ଏହାର ଅନେକ ଗୁରୁତ୍ବ ରହିଛି । ତେବେ ଏହାର ସବୁଠାରୁ ବଡ଼ ସମସ୍ୟା ହେଲା ବହୁ ଦିନରୁ ଲାଗି ରହିଥିବା ଅବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥା । ବର୍ଷା ଦିନେ ଟିକିଏ ଅଧିକ ବର୍ଷା ହେଲେ ସହର ତଳି ଅଞ୍ଚଳରେ ପାଣି ଜମି ଯିବା ସହ ଘର ଭିତରକୁ ପାଣି ପଶିଯାଏ ।
ସହରର ଉପର ମୁଣ୍ଡରେ ହୀରାକୁଦ ଜଳଭଣ୍ଡାର ଥିବାରୁ ଏହାର ବନ୍ୟା ଜଳ ନିଷ୍କାସନ ହେଲେ ସହରରେ ସମସ୍ୟା ଆହୁରି ବଢିଯାଏ । ହୀରାକୁଦ ଜଳଭଣ୍ଡାରରୁ 35ରୁ ଉର୍ଦ୍ଧ୍ବ ଗେଟ ଖୋଲା ହେଲେ ସହର ଭିତରର ବନ୍ୟା ଜଳ ନିଷ୍କାସନ ହୋଇନପାରିବାରୁ ତଳି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ବ୍ୟାକ ୱାଟର ସମସ୍ୟା ଉପୁଜି ଥାଏ । ବିଗତ 5 ବର୍ଷ ଭିତରେ ଏମିତି ଅନେକ ଥର ହୋଇଛି । ସେଥିପାଇଁ ଏବେ ଚିନ୍ତାରେ ତଳି ଅଞ୍ଚଳର ଲୋକେ ।
ସହରର ମୁଖ୍ୟତଃ ବିନାଖଣ୍ଡି, କମିଶନର କଲୋନୀ, ହୀରାକୁଦ କଲୋନୀ, ଏସଆରଆଇଟି କଲୋନୀ, ହାଉସିଂ ବୋର୍ଡ କଲୋନୀ, ଚେରୁଆ ପଡା, ଏଏନଗୁହା ଲେନ ଅଞ୍ଚଳରେ ଏପରି ସମସ୍ୟା ହୋଇଥାଏ । ସେଥିପାଇଁ ପ୍ରଶାସନ ଆଗୁଆ ପଦକ୍ଷେପ ନେବା ପାଇଁ ଦାବି ହୋଇଛି । ଏପଟେ ଅତିରିକ୍ତ ଜିଲ୍ଲାପାଳ କହିବା ଅନୁଯାୟୀ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇସାରିଛି ଓ ମୌସୁମୀ ଆସିବା ପୂର୍ବରୁ ଡ୍ରେନେଜ ବ୍ୟବସ୍ଥାକୁ ଭଲ ଭାବେ ବ୍ୟବସ୍ଥିତ କରାଯିବ ବୋଲି କହିଛନ୍ତି ।
ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ