ସମ୍ବଲପୁର: ଗୋଟିଏ ଦେଶର ସର୍ବାଙ୍ଗୀନ ଉନ୍ନତି ଏହାର ଉପାନ୍ତ ଓ ଗ୍ରାମାଞ୍ଚଳର ଉନ୍ନତି ଉପରେ ନିର୍ଭରଶୀଳ । ଏହାକୁ ଦୃଷ୍ଟିରେ ରଖି ୨୦୧୦-୧୧ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ (Integrated Action Plan) । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟର ଉପାନ୍ତ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରଭାବିତ ଜିଲ୍ଲା ଗୁଡ଼ିକୁ ଅତିରିକ୍ତ ପାଣ୍ଠି ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ଥିଲା । କିନ୍ତୁ ୨୦୧୪-୧୫ରେ ବିନା କୌଣସି କାରଣରୁ ଏହି ପାଣ୍ଠିକୁ ବନ୍ଦ କରି ଦିଆଯାଇଥିଲା । ଫଳରେ ସମ୍ବଲପୁର ଜିଲ୍ଲାରେ ଏହି ପାଣ୍ଠିରୁ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।
୨୦୦୦ ମସିହାରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା ସମ୍ବଲପୁରରେ ଯୁଜୁମୁରା, ଜମନକିରା ବ୍ଲକ ଭଳି କେତେକ ଆଦିବାସୀ ଅଧ୍ୟୁଷିତ ଓ ପଛୁଆ ବ୍ଲକରେ ମାଓ ଗତିବିଧି ବଢ଼ିଥିଲା । ଜିଲ୍ଲା ପ୍ରଶାସନର ବିକାଶମୂଳକ କାର୍ଯ୍ୟ ଏହି ସବୁ ବ୍ଲକରେ ପହଞ୍ଚି ପାରିନଥିଲା । ଫଳରେ ଏହି ଅଞ୍ଚଳ ଗୁଡ଼ିକରେ ମାଓ ଗତିବିଧି ବଢିଥିଲା । ଏଭଳି ସ୍ଥିତିରେ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ଏହି ଉପାନ୍ତ ଅଞ୍ଚଳର ବିକାଶ ପାଇଁ ଅତିରିକ୍ତ ପାଣ୍ଠି ପ୍ରଦାନ କରିଥିଲେ କେନ୍ଦ୍ର ସରକାର ।
ଏହି କ୍ରମରେ ୨୦୧୦-୧୧ରେ ୨୫ କୋଟି ମିଳିଥିବାବେଳେ ୨୦୧୧-୧୨ରେ ୩୦ କୋଟି ମିଳିଥିଲା । ସେହିଭଳି ୨୦୧୨-୧୩ରେ ୩୦ କୋଟି, ୨୦୧୩-୧୪ରେ ୩୦ କୋଟି ଓ ୨୦୧୪-୧୫ରେ ୨୦ କୋଟି ଟଙ୍କା ମିଳିଥିଲା । ଏହି ପାଣ୍ଠି ଯୋଗୁଁ ମୁଖ୍ୟତଃ ସ୍କୁଲ୍, ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟସେବା, ପାନୀୟଜଳ, ଗ୍ରାମ୍ୟ ସଡ଼କ, ଅଲୋକୀକରଣ ଆଦି କାର୍ଯ୍ୟ ହୋଇଥିଲା । ୨୦୧୪-୧୫ରେ ଏହି ପାଣ୍ଠି ବନ୍ଦ ହେବା ପରେ ସମ୍ବଲପୁର ଉପାନ୍ତ ଅଞ୍ଚଳରେ ବିକାଶ କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
2010-11 ଆର୍ଥିକ ବର୍ଷରେ ରାଜ୍ୟର ସୁନ୍ଦରଗଡ, ସୁବର୍ଣ୍ଣପୁର, ସମ୍ବଲପୁର, ରାୟଗଡା, ନୂଆପଡ଼ା, ନବରଙ୍ଗପୁର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ଗଜପତି, ଦେବଗଡ଼ ଓ ବଲାଙ୍ଗୀର ଆଦି ଜିଲ୍ଲାକୁ ଏହି ଅତିରିକ୍ତ ପାଣ୍ଠି ମିଳିବା ଆରମ୍ଭ ହୋଇଥିଲା । ତେବେ ପାଣ୍ଠି ବନ୍ଦ ହେବାପରେ ଏବେ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ନେତା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସବୁ ଅଞ୍ଚଳର ବିକାଶ ପାଇଁ ବିକଳ୍ପ ପାଣ୍ଠିର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
କେନ୍ଦ୍ର ସରକାରଙ୍କ ପାଣ୍ଠି ବିନା କୌଣସି କାରଣ ଦର୍ଶାଇ ବନ୍ଦ କରି ଦିଆଯାଇଛି । ଫଳରେ ଏଥିରେ ପ୍ରଭାବିତ ହୋଇଛନ୍ତି ସମ୍ବଲପୁର ଉପାନ୍ତ ଅଞ୍ଚଳର ବାସିନ୍ଦା । ଏଥିପାଇଁ ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡ଼ିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ