ସମ୍ବଲପୁର: ଆଗାମୀ ଦିନରେ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର 9ଟି ଜିଲ୍ଲାରେ ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ପକ୍ଷରୁ 9 ଲକ୍ଷ ସ୍ମାର୍ଟ ପ୍ରିପେଡ୍ ମିଟର ଲଗାଯିବାର ଯୋଜନା ରହିଛି । ପାଇଲଟ ପ୍ରୋଜେକ୍ଟରେ ଏହା ଆରମ୍ଭ ହେବ । ତେବେ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି ।
ଏହାକୁ ବିରୋଧ କରିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ଏହି ପ୍ରୋଜେକ୍ଟକୁ ପ୍ରଥମେ ଅନ୍ୟ ସ୍ଥାନରେ ଆରମ୍ଭ କରାଯାଉ ଓ ପରେ ସମ୍ବଲପୁରରେ ଆରମ୍ଭ କରିବା ନେଇ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରମୋଦ କୁମାର ରଥ କହିଛନ୍ତି ।
ଆଜି ଏନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ଓକିଲ ସଂଘ କହିଛି ଯେ, ସମ୍ବଲପୁର ଜିଲ୍ଲା କିମ୍ବା ପଶ୍ଚିମ ଓଡିଶା କୌଣସି ପରୀକ୍ଷାଗାରା ନୁହେଁ । ସବୁ ପାଇଲଟ ପ୍ରୋଜେକ୍ଟକୁ ଏଇଠି ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ।
ଏହି ଭଳି ପ୍ରୋଜେକ୍ଟକୁ ପ୍ରଥମେ ଉପକୂଳବର୍ତ୍ତୀ ଉନ୍ନତ ଜିଲ୍ଲାରେ ଅଥବା ଶକ୍ତି ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଆରମ୍ଭ କରାଯାଉ । ଏହାପରେ ସମ୍ବଲପୁରରେ ଆରମ୍ଭ କରାଯାଉ ବୋଲି ଜିଲ୍ଲା ଓକିଲ ସଂଘ ଦାବି କରିଛି । ତେବେ ପ୍ରୋଜେକ୍ଟ ଆରମ୍ଭ ହେଲେ ଏହାର ତୀବ୍ର ବିରୋଧ କରାଯିବ ବୋଲି ଜିଲ୍ଲା ଓକିଲ ସଂଘ ଚେତାବନୀ ଦେଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ