ସମ୍ବଲପୁର: ଏକ ବଡ଼ ଧରଣର ଏଟିଏମ ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ । ଆଜି(ଶୁକ୍ରବାର) ସମ୍ବଲପୁର କ୍ଷେତରାଜପୁର ପୋଲିସ ଏକ ବଡ଼ ଧରଣର ଏଟିଏମ ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗର 4 ଜଣ ସଦସ୍ୟ ଗିରଫ ହୋଇଥିବାବେଳେ ମାଷ୍ଟର ମାଇଣ୍ଡ ଏବେବି ଧାରା ପଡିନଥିବା ସମ୍ବଲପୁର ଏସପି କନୱର ବିଶାଳ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗିରଫ ହୋଇଥିବା ଏହି ଅନ୍ତରାଜ୍ୟ ଗ୍ୟାଙ୍ଗର 4 ସଦସ୍ୟ ଧରାପଡିଛନ୍ତି । ଏମାନଙ୍କ ମଧ୍ୟରୁ 2 ଜଣ ସମ୍ବଲପୁରର ହୋଇଥିବାବେଳେ ଅନ୍ୟ 2 ଜଣ ବିହାର ରାଜ୍ୟର ବୋଲି ଜଣାପଡ଼ିଛି । ଏମାନଙ୍କ ଠାରୁ ନଗଦ 1 ଲକ୍ଷ 46 ହଜାର ଟଙ୍କା, 30 ଟି ଡ୍ୟୁପ୍ଲିକେଟ ବା କ୍ଲୋନ ଏଟିଏମ କାର୍ଡ, ଗୋଟିଏ କାର, କେତୋଟି ସ୍କିମର ମେସିନ, ଲ୍ୟାପଟପ ପ୍ରଭୃତି ଜବତ ହୋଇଛି । ତେବେ ଏହି ଘଟଣାର ଚେର ଗୟା ପର୍ଯ୍ୟନ୍ତ ଲମ୍ବିଥିବା ଏସପି ସୂଚନା ଦେଇଛନ୍ତି ।
ଏମାନେ ନିରୀହ ଜନସାଧାରଣଙ୍କ ବିଶ୍ବାସ ଜିତି ଅନେକ ସମୟରେ ଏଟିଏମ କାର୍ଡକୁ ଡ୍ୟୁପ୍ଲିକେଟ ବା କ୍ଲୋନ ଏଟିଏମ କାର୍ଡ ତିଆରି କରି ମନଇଚ୍ଛା ଟଙ୍କା ଉଠାଉଥିଲେ । ସମ୍ବଲପୁର ସମେତ ଆଖପାଖ ଜିଲ୍ଲା ସହ ରାଜ୍ୟ ବାହାରେ ମଧ୍ୟ ବହୁ ଜିଲ୍ଲାରେ ଏହି ଗ୍ୟାଙ୍ଗ ଏମିତି ଲକ୍ଷଲକ୍ଷ ଟଙ୍କା ଠକେଇ କରୁଥିବା ଜଣାପଡ଼ିଛି । ଏନେଇ ସମ୍ବଲପୁର ଏସପି ସାଧାରଣ ଲୋକଙ୍କୁ ସାବଧାନ ଓ ସଚେତନ ରହିବାକୁ କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ