ସମ୍ବଲପୁର: ଜିଲ୍ଲାର ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବଡବାହାଲ ରେଞ୍ଜର ବଡକଷିବାହାଳ ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରୁ ଛୁଆ ହାତୀକୁ ଉଦ୍ଧାର କରାଯାଇଛି । ଶନିବାର ବିଳମ୍ବିତ ରାତ୍ରିରେ ବନବିଭାଗ ପକ୍ଷରୁ କୂଅରୁ ଉଦ୍ଧାର କରିବାରେ ବନବିଭାଗ ସକ୍ଷମ ହୋଇପାରିଛି ।
ମିଳିଥିବା ସୂଚନା ମୁତାବକ, ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡବାହାଲ ରେଞ୍ଜର ବଡକଷିବାହାଳ ଗାଁ ରେ ହାତୀ ପଲ ଧାନ ଫସଲ ଖାଇବାକୁ ଆସିଥିଲେ । ତେବେ ରାତ୍ରି ସମୟ ହୋଇଥିବାରୁ ଛୁଆ ହାତୀଟି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା କୂଅ ମଧ୍ୟରେ ପଡିଯାଇଥିଲା ।
ସ୍ଥାନୀୟ ଲୋକମାନେ ଛୁଆ ହାତୀ ପଡିଥିବା ଜାଣି ରେଢାଖୋଲ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ରେଢ଼ାଖୋଲ ବନବିଭାଗ, ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି 2ଟି ଜେସିବି ମେସିନ ସାହାଯ୍ୟରେ ରାତି ପ୍ରାୟ 3ଟା ବେଳେ ହାତୀକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାର ସୂଚନା ମିଳିଛି ।
ସମ୍ବଲପୁରରୁ ବାଦସାହ ଯୁସ୍ମନ କୁମାର ରାଣା, ଇଟିଭି ଭାରତ