ସମ୍ବଲପୁର: କୋରୋନାରେ ପ୍ରାଣ ହରାଇଲେ ଆଉ ଜଣେ କୋଭିଡ ଯୋଦ୍ଧା । ବୁର୍ଲା ଭୀମସାର ଦନ୍ତ ବିଭାଗର ମୁଖ୍ୟ ଡାକ୍ତର ଅନୁପ ଶତପଥୀଙ୍କ ଆଜି(ଶନିବାର) କରୋନାରେ ଦେହାନ୍ତ ହୋଇଛି । ଭୀମସାର ଦନ୍ତ ବିଭାଗ ମୁଖ୍ୟ ଡାକ୍ତର ଅନୁପ ଶତପଥୀ କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ତେବେ ଆଜି ସକାଳେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଖବର ଜଣାପଡିବା ପରେ ଭୀମସାରରେ ଶୋକର ଛାୟା ଖେଳିଯାଇଛି । ବୁର୍ଲା ଭୀମସାରର ଆବାସିକ ଡାକ୍ତର ତଥା ସମାଜସେବୀ ଡା. ଶଙ୍କର ରାମଚନ୍ଦାନୀ, ଡାକ୍ତର ଅନୁପ ଶତପଥୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ଏହା ବୁର୍ଲା ମେଡିକାଲର ବହୁତ ବଡ଼ କ୍ଷତି ବୋଲି କହିଛନ୍ତି ।
ଡାକ୍ତର ଶତପଥୀ ସମ୍ବଲପୁର ତଥା ବୁର୍ଲା ଅଞ୍ଚଳରେ ବହୁ ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥିବାରୁ ସାଧାରଣ ଲୋକଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ