ସମ୍ବଲପୁର: ଆଜି(ମଙ୍ଗଳବାର) ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ । ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରିର ତୁରନ୍ତ ନ୍ୟାୟ ଦାବି ନେଇ ବିଜେପି ସମ୍ବଲପୁର ବନ୍ଦ ଡାକରା ଦେଇଛି ।
ବିଭିନ୍ନ ଦାବି ନେଇ ବିଜେପି ବନ୍ଦ ଡାକରା ଦେଇଥିବା ଜଣାପଡିଛି । ମମିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ସାଙ୍ଗକୁ ମାମଲାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ଦାବି କରିଛି ବିଜେପି । ଏଥିସହ ମମିତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ମଧ୍ୟ ଦାବି କରିଛି ।
ତେବେ ସକାଳୁ 6 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସମ୍ବଲପୁର ବନ୍ଦ ରହିବ । ଏହାର ପ୍ରଭାବରେ ଆଜି ସମ୍ବଲପୁର ସହରରେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ, ବେସରକାରୀ ଅଫିସ, କୋର୍ଟ କଚେରୀ ବନ୍ଦ ରହିଛି । ତେବେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯାଇଛି। ମୁଖ୍ୟତଃ ଆଜି ହେବାକୁ ଥିବା ପରୀକ୍ଷାଗୁଡିକ ପାଇଁ ଛାତ୍ରଛାତ୍ରୀଙ୍କୁ ବନ୍ଦରୁ କୋହଳ କରାଯାଇଛି ।
ତେବେ ମମିତା ମେହେର ହତ୍ୟା ନେଇ ପ୍ରତିଦିନ ରାଜନୈତିକ ଦଳ ହେଉ କିମ୍ବା ସାମାଜିକ ସଂଗଠନଙ୍କ ପକ୍ଷରୁ ଆନ୍ଦୋଳନ ତେଜୁଛି । ଆଜି କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ନବୀନ ନିବାସ ଘେରିବାକୁ ସଜବାଜ ହେଉଥିବାବେଳେ ବିଜେପି ରାଜ୍ୟର ବିଭିନ୍ନ ଏସପି ଅଫିସ ଘେରାଉ କରୁଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ