ସମ୍ବଲପୁର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି l ନେତା ମାନେ କ୍ଷେତ୍ର ପ୍ରସ୍ତୁତିକୁ ଯୋରଦାର କରିଛନ୍ତି । ଚାଲିଛି ଅଙ୍କକଷ, ହେଉଛି ରଣନୀତି । ଭୋଟରଙ୍କ ମନ ଜିଣିବାକୁ ଖୋଜା ଚାଲିଛି ମୁଦ୍ଦା । ତିଆରି ହେଉଛି ପ୍ରସଙ୍ଗ । ଏହାରି ଭିତରେ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ଚର୍ଚା । ସମ୍ବଲପୁର ଜିଲ୍ଲାର ରାଜନୈତିକ ସମୀକରଣ ଉପରେ ନଜର ପକେଇଲେ ଯାହା ଜଣା ପଡୁଛି ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ସିଟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ହୋଇପାରନ୍ତି l କିଛି ଦିନ ହେଲା ନିରନ୍ତର ଆନ୍ତରାଳରେ ଧର୍ମେନ୍ଦ୍ର ବାରମ୍ବାର ବିଭିନ୍ନ କାର୍ଯ୍ୟକ୍ରମ ଆଳରେ ସମ୍ବଲପୁର ଆସୁଥିବା ବେଳେ ଏହା ତାଙ୍କର ପ୍ରାର୍ଥୀତ୍ବକୁ ସ୍ପଷ୍ଟ କରିଛି। ଏନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ହୋଇ ନଥିବା ବେଳେ ବର୍ତ୍ତମାନ ପୂର୍ବତନ ମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷରେ ଧର୍ମେନ୍ଦ୍ର ଓ ବିଜେପିକୁ ଟାର୍ଗେଟ କରିଛନ୍ତି l
ଅଧିକ ପଢନ୍ତୁ- ଏନଏଚ-55କୁ ନେଇ ରୋହିତ-ଜୟ ମୁହାଁମୁହିଁ; ବ୍ୟକ୍ତିଗତ ସ୍ତରକୁ ଗଲା ଆରୋପ-ପ୍ରତ୍ୟାରୋପ
ରୋହିତ କହିଛନ୍ତି, ‘‘ଲୋକଙ୍କୁ ଭୁଁଆ ବୁଲେଇବାରେ ବିଜେପି ମାଷ୍ଟର ଅଟେ l ପ୍ରଧାନମନ୍ତ୍ରୀ ଯେମିତି ବାରଣାସୀର ରୂପରେଖ ବଦଳେଇ ଦେଲେ, ସମ୍ବଲପୁରକୁ ବାରମ୍ବାର ଆସୁଥିବା ଜଣେ କେନ୍ଦ୍ରମନ୍ତ୍ରୀ ମଧ୍ୟ ସମ୍ବଲପୁରକୁ ବାରଣାସୀ ପରି କରିଦେବେ ବୋଲି କୁହନ୍ତି l ତେବେ ସେ 10 ବର୍ଷ ପର୍ଯ୍ୟନ୍ତ କେଉଁଠି ଥିଲେ l ପଶ୍ଚିମ ଓଡିଶା ଓ ସମ୍ବଲପୁର ପାଇଁ କଣ କରିଛନ୍ତି ତାହା ପ୍ରଥମେ କୁହନ୍ତୁ ବୋଲି ଏକ ଦଳୀୟ ସଭାରେ ରୋହିତ କହି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି l ଗତ 10 ବର୍ଷ ହେଲା କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ କେନ୍ଦ୍ରମନ୍ତ୍ରୀ ପଶ୍ଚିମ ଓଡିଶା ପାଇଁ ଏକ କେନ୍ଦ୍ରୀୟ ବିଦ୍ୟାଳୟ, ଏମ୍ସ ଅଥବା କୌଣସି ଦକ୍ଷତା ବିକାଶ ଅନୁଷ୍ଠାନ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ରୋହିତ l 10 ବର୍ଷ ଭିତରେ ଯଦି ଗୋଟେ କାମ କରିଛ ତାହା କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ରୋହିତ l’’
ସେହିପରି ରୋହିତ କହିଛନ୍ତି କେବଳ ନିର୍ବାଚନ ଆସିଲେ କାଶ୍ମୀର, ପୁଲୱାମା ପରି ପ୍ରସଙ୍ଗ ଉଠାଇ ଲୋକଙ୍କୁ ବିଜେପି ଭୁଆଁ ବୁଲାଉଛି l ସମ୍ବଲପୁର କଟକ ଜାତୀୟ ରାଜପଥ ଗୋଟିଏ କାମ ଚାଲିଛି ଯେ ତାହା ଆଜି ପର୍ଯ୍ୟନ୍ତ ସରିପାରୁନି l ବିଜେପି ଏକ ମିଛୁଆ ଦଳ, ଲୋକଙ୍କ ଉନ୍ନୟନମୂଳକ କାର୍ଯ୍ୟ ଛାଡି କେବଳ ଧର୍ମ ଓ ଜାତି ନାଁ ରେ ରାଜନୀତି ବିଜେପି କରୁଥିବା କହିଛନ୍ତି ରୋହିତ l ଗତ 10 ବର୍ଷ ଭିତରେ ପଶ୍ଚିମ ଓଡିଶାର ବିଜେପି ସାଂସଦ ମାନେ କଣ କରିଛନ୍ତି ତାହାର ଜବାବ ଦିଅନ୍ତୁ । କେବଳ ମିଛ ପ୍ରଚାରରେ ଚଲିବ ନାହିଁ ବୋଲି କହିଛନ୍ତି ରୋହିତ l
ଅନ୍ୟପଟେ ଏହାର ଉତ୍ତର ରଖିଛନ୍ତି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ତଥା ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସମୀର ରଞ୍ଜନ ବାବୁ l ସେ କହିଛନ୍ତି ଯେ ରୋହିତ ଯାହା କହୁଛନ୍ତି ତାହା ହାସ୍ୟାସ୍ପଦ କଥା l ସମ୍ବଲପୁରରେ ବିଗତ 25 ବର୍ଷ ହେଲା ବିଜେପି ନିଜର ଦବଦବା ବଜାୟ ରଖିଛି l ଲୋକଙ୍କ ସହ ପ୍ରତ୍ୟେକ ସମସ୍ୟାରେ ଛିଡା ହୋଇ ବିଜେପି ଏହି ସଫଳତା ପାଇଛି l ସମ୍ବଲପୁରରେ ଆଇଆଇଏମ ଓ ରାଜ୍ୟରେ ରେଳବାଇର ସାମଗ୍ରୀକ ବିକାଶକୁ ରୋହିତ ଦେଖିପାରୁଛନ୍ତି ନାଁ ନାହିଁ l ସମ୍ବଲପୁର VSS ଷ୍ଟାଡିୟମର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ 3 କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବାର ଘୋଷଣା କରି କେମିତି ଭୁଲିଗଲେ। ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପାଇଁ 5 କୋଟି ଟଙ୍କା ଓ ଜମି ଦେବାର ଘୋଷଣା କରି ତାହା କେମିତି ଆଜି ପର୍ଯ୍ୟନ୍ତ ହୋଇନାହିଁ l ସମ୍ବଲପୁର ସହର ମଧ୍ୟରେ ଥିବା ଫ୍ଲାଏ ଓଭର ବ୍ରିଜ କେମିତି ସମ୍ପୂର୍ଣ୍ଣ ହେବାକୁ 7 ବର୍ଷ ଲାଗିଗଲା। 60 କୋଟି ବଜେଟର ବ୍ରିଜ କେମିତି ପିସି କରବାର ପାଇଁ 120 କୋଟି ବଜେଟରେ ପହଞ୍ଚିଗଲା? ସହରର ଆପ୍ରୋଚ ରୋଡ଼ ଆଜି ପର୍ଯ୍ୟନ୍ତ କେମିତି ହୋଇ ପାରିନାହିଁ। ଏମିତି ଅନେକ ପ୍ରଶ୍ନ କରି ରୋହିତଙ୍କୁ କାଉଣ୍ଟର କରିଛନ୍ତି ବିଜେପି ନେତା ସମୀର ବାବୁ l ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବାର ଚର୍ଚ୍ଚା ହେବା ପରେ ରୋହିତଙ୍କ ମୁଣ୍ଡ ବୋଧେ କାମ କରୁନି ବୋଲି କହିଛନ୍ତି ବିଜେପି ନେତା ।
ଇଟିଭି ଭାରତ, ସମ୍ବଲପୁର