ସମ୍ବଲପୁର: ଜିଲ୍ଲାର ଅଇଁଠା ପାଲି ପୋଲିସ ଦ୍ୱାରା ବଡ଼ ଧରଣର ବାଇକ ଚୋରି ରାକେଟ ଠାବ। ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ମିରଗାମୁଣ୍ଡାର ପୁରନ୍ଦର ଭୋଇ ସମେତ 4 ଜଣଙ୍କୁ ଗିରଫ କରିବା ସହ 14ଟି ବାଇକ ଜବତ କରିଛି ପୋଲିସ।
ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ସଦର ଏସଡିପିଓ ଭବାନୀଶଙ୍କର ଉଦ୍ଗାତା। ତେବେ ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ପୁରନ୍ଦର ଭୋଇ ହୋଇଥିବାବେଳେ ଗିରଫ ହୋଇଥିବା ଅନ୍ୟ 3 ଅଭିଯୁକ୍ତ ଚୋରା ବାଇକର ଗ୍ରାହକ ବୋଲି ଜଣାପଡିଛି। ଉକ୍ତ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ତିଠେଇପାଲିର ବେଣୁଧର ନେଟି, ବଲାଙ୍ଗୀର ଟିଟଲାଗଡ଼ ଥାନା ଅନ୍ତର୍ଗତ ଦୁର୍ଯ୍ୟୋଧନ ରଣା ଓ ଦେବଗଡ ଜିଲ୍ଲା ରିଆମାଳ ଅଞ୍ଚଳର ଅମିତ ରାଉତ।
ତେବେ 13ଟି ବାଇକ ସମ୍ବଲପୁର ଅଇଁଠା ପାଲି ଥାନାରେ ଥିବାବେଳେ ଆଉ ଗୋଟିଏ ବାଇକ କୁଚିଣ୍ଡା ଥାନାରେ ରହିଥିବା କହିଛନ୍ତି ଏସଡିପିଓ ।
ଘଟଣାର ମୁଖ୍ୟ ଅଭିଯୁକ୍ତ ବିଗତ କିଛିଦିନ ହେଲା ସମ୍ବଲପୁରର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରି ଆସୁଥିଲା, ଯାହା ପାଲଟିଥିଲା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ । ଏହାପରେ ସମ୍ବଲପୁର ଅଇଁଠାପାଲି ଥାନାର ଏକ ସ୍ୱତନ୍ତ୍ର ଟିମ ଏହି ରାକେଟର ଅଭିଯୁକ୍ତଙ୍କୁ ଗିରଫ କରିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ