ସମ୍ବଲପୁର: ପରମ୍ପରା ଓ ବିଶ୍ବାସ ସହ ମଣିଷ ଯୋଡ଼ି ହୋଇ ରହିଥାଏ । ସାଧାରଣତଃ ମନ୍ଦିରକୁ ଗଲେ ଦେବାଦେବୀଙ୍କୁ ପତ୍ର,ଫୁଲ,ଫଳ,ନଡ଼ିଆ ,ଧୂପ,ଦୀପ ଓ ସିନ୍ଦୁର ଆଦି ଚଢାଯାଉଥିବାର ସମସ୍ତେ ଜାଣିଛନ୍ତି । ତେବେ ଆପଣ କେବେ ଶୁଣିଛନ୍ତି କି, ମନ୍ଦିରରେ କାନ୍ଥ ଘଣ୍ଟା ଚଢାଯାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ ତେବେ କଥା ଟା ସତ। ସମ୍ବଲପୁର ଜିଲ୍ଲାର ବଡ଼ରମା ଘାଟି ନିକଟରେ ରହିଛି ମା ବନଦୁର୍ଗାଙ୍କ ମନ୍ଦିର ଯେଉଁଠି ଏଭଳି ଏକ ନିଆରା ଓ ଭିନ୍ନ ପରମ୍ପରା ରହିଛି।
ମନ୍ଦିର ଭିତର କାନ୍ଥରେ ଗୋଟିଏ କିମ୍ବା ଦୁଇଟି ନୁହେଁ ଏକାଧିକ ଘଣ୍ଟା ଟଙ୍ଗା ଯିବାର ଦେଖିବାକୁ ମଳୁଛି । ତେବେ ଏହା ପଛରେ ବିଶ୍ବାସ ଓ ପୂରାତନ ପରମ୍ପରା ରହିଛି । ସମ୍ବଲପୁର ଜିଲ୍ଲା ଜମେନକିରା ବ୍ଲକ ବଡ଼ରମା ଘାଟିର ପାଦ ଦେଶରେ ମା ବନଦୁର୍ଗାଙ୍କ ଏହି ଭବ୍ୟ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ନିଜର ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ମାନେ ଏଠାରେ କାନ୍ଥ ଘଣ୍ଟା ଚଢାଇବାର ନିଆରା ପରମ୍ପରା ରହିଛି। ମୁମ୍ବାଇ -କୋଲକାତା ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ ଓ ମୁଖ୍ୟତଃ ଟ୍ରକ ଡ୍ରାଇଭରମାନେ ମାଙ୍କ ଦର୍ଶନ କରି ନିଜ ଗନ୍ତବ୍ୟ ସ୍ଥଳକୁ ବଢିଥାନ୍ତି । ଏଠାରେ ମାଙ୍କ ଦର୍ଶନ କରି ଗଲେ ଯାତ୍ରା ସଫଳ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି। ତେଣୁ ଏଠାରେ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ।
ମାଙ୍କ ମନ୍ଦିରକୁ ଲାଗି ରହିଛି ବଡ଼ରମା ଜଙ୍ଗଲ ଓ ଘାଟି। ଏହି ବିପଦଜନକ ଜଙ୍ଗଲ ଓ ଘାଟିକୁ ସୁରୁଖୁରୁରେ ପାରି ହେବା ପାଇଁ ମୁଖ୍ୟତଃ ଡ୍ରାଇଭର ମାନେ ଏଠାରେ ମାଙ୍କ ଦର୍ଶନ କରି ଆଗକୁ ବଢ଼ନ୍ତି। ବିଶ୍ବାସ ଅଛି ଯେ, ଏଠାରେ ଘଣ୍ଟା ଦାନ କଲେ ଗନ୍ତବ୍ୟ ସ୍ଥଳକୁ ଠିକ ସମୟରେ ମା ପହଞ୍ଚେଇ ଦେଇଥାନ୍ତି ଏବଂ କୌଣସି ବାଧା ବିଘ୍ନ ଉପୁଜେ ନାହିଁ । ବଣ ଜଙ୍ଗଲ ଘେରା ଏଠାକାର ଶାନ୍ତ ପ୍ରାକୃତିକ ପରିବେଶ ଲୋକଙ୍କୁ ଆକୃଷ୍ଟ କରିଥାଏ ।
ସମ୍ବଲପୁର ବଡ଼ରମା ସ୍ଥିତ ବନ ଦୁର୍ଗା ମନ୍ଦିରର ଏହି ନିଆରା ପରମ୍ପରା ବହୁ ବର୍ଷରୁ ଚାଲି ଆସୁଛି। ଆଉ ଏହି ପରମ୍ପରାକୁ ବହନ କରିଛି ଲୋକଙ୍କ ଆସ୍ଥା ଓ ବିଶ୍ବାସ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ