ସମ୍ବଲପୁର: ବୁର୍ଲା ଭୀମସାର ନର୍ସିଂ କଲେଜର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ବେଆଇନ ଫିଟ ଆଦାୟ କରୁଥିବା ଅଭିଯୋଗ। ବୁର୍ଲା ଭୀମସାର ନର୍ସିଂ କଲେଜର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଲାଗିଲା ଗମ୍ଭୀର ଅଭିଯୋଗ ଆଣିଲେ ନର୍ସିଂ ଛାତ୍ରଛାତ୍ରୀ।
ନିଜ କ୍ଷମତାର ଦୁରୂପଯୋଗ କରି କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଯଦି କୌଣସି ଛାତ୍ରଛାତ୍ରୀ ଏ ନେଇ ସ୍ୱର ଉତ୍ତୋଳନ କରନ୍ତି, ତେବେ ତାଙ୍କୁ ଫେଲ କରିଦେବାକୁ ମିଳୁଛି ଧମକ। ବୁର୍ଲା ଭିମସାର ନର୍ସିଂ କଲେଜ ଅଧ୍ୟକ୍ଷା ଲିନାରାଣୀ ସ୍ୱାଇଁ ବେଆଇନ ଭାବେ ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ବିନା ରସିଦରେ ବାଧ୍ୟତାମୂଳକ ଭାବେ ଟଙ୍କା ମାଗୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।
ଛାତ୍ରଛାତ୍ରୀମାନେ କଲେଜରେ ଆଡ଼ମିଶନ ସମୟରେ ଧାର୍ଯ୍ୟ ହୋଇଥିବା ଅର୍ଥ ଦାଖଲ କରି କଲେଜରେ ନାମ ଲେଖାଇଥିଲେ। କିନ୍ତୁ କଲେଜ ଅଧ୍ୟକ୍ଷା ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ କାରଣ ଦର୍ଶାଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି, ତାହା ପୁଣି ବିନା ରସିଦରେ।ଯଦି କୌଣସି ଛାତ୍ରଛାତ୍ରୀ ଏନେଇ ସ୍ୱର ଉତ୍ତୋଳନ କରନ୍ତି, ତେବେ ତାଙ୍କୁ ଫେଲ କରିଦେବାର ମିଳୁଛି ଧମକ। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି ଛାତ୍ରଛାତ୍ରୀ ଜାରି ହୋଇଥିବା ନିର୍ଦ୍ଦେଶ ବ୍ୟତୀତ କୌଣସି ପ୍ରକାର ଅଧିକ ଅର୍ଥ ପ୍ରଦାନ କରିବେ ନାହିଁ।
କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରି ଭୀମସାର ନର୍ସିଂ କଲେଜର ଅଧ୍ୟକ୍ଷା ଛାତ୍ରଛାତ୍ରୀଙ୍କୁ ଜୋର ଜବରଦସ୍ତି ଟଙ୍କା ଦେବା ପାଇଁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏପରିକି ସାର୍ଟିଫିକେଟ ଭେରିଫିକେସନ ନାମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ୧,୫୦୦ ଟଙ୍କା ଦେବା ପାଇଁ କୁହାଯାଇଛି ଏବଂ ଏନେଇ କୌଣସି ପ୍ରକାର ରସିଦ ମଧ୍ୟ ପ୍ରଦାନ କରାଯାଉ ନାହିଁ।
ଏନେଇ ନର୍ସିଂ କଲେଜର ଜଣେ ଛାତ୍ର ଟ୍ୱିଟର ମାଧ୍ୟମରେ ୫ଟି ସଚିବଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏନେଇ ବୁର୍ଲା ମେଡ଼ିକାଲର ଅଧିକ୍ଷକ ଜୟଶ୍ରୀ ଦୋରା କହିଛନ୍ତି ଯେ, ଏହି ମାମଲା ନେଇ ଏକ କମିଟି ଦ୍ୱାରା ତଦନ୍ତ କରାଯିବ ଓ ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ