ସମ୍ବଲପୁର: ଆଜିର ଦୁନିଆରେ ଲୋକଙ୍କ ସଚ୍ଚୋଟତା ଓ ମଣିଷ ପଣିଆ ହଜି ଯାଉଥିବାବେଳେ ସମ୍ବଲପୁରରୁ ଆସିଛି ହୃଦୟ ଜିତିନେବା ଭଳି ଖବର । ସଚ୍ଚୋଟପଣିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁରର ଜଣେ ବ୍ୟକ୍ତି । ନିଜ କାମ ଦ୍ବାରା ଆଜି ବି ମଣିଷ ପଣିଆ ବଞ୍ଚିଥିବା ସେ ପ୍ରମାଣିତ କରିଛନ୍ତି ।
ବ୍ୟକ୍ତି ଜଣକ ହେଲେ ସମ୍ବଲପୁରର ତାପସ ସ୍ବାଇଁ । ତାପସ ରାସ୍ତାରେ ଯିବା ସମୟରେ ଏକ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇଥିଲେ । ସେ ପାଇଥିବା ବ୍ୟାଗକୁ ପୋଲିସ ସାହାଯ୍ୟରେ ପ୍ରକୃତ ଲୋକଙ୍କୁ ଫେରାଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଏଭଳି ବଦାନ୍ୟତା ପାଇଁ ସମ୍ବଲପୁର ଏସପି ତାଙ୍କୁ ସମ୍ମାନିତ କରିବା ସହ ପୁରସ୍କୃତ କରିଛନ୍ତି । ସୂଚନା ଅନୁଯାୟୀ, ତାପସ ସଂଧ୍ୟା ସମୟରେ ଭ୍ରମଣରେ ଯାଉଥିବା ସମୟରେ ଅଇଁଠାପାଲି ଥାନା ଅନ୍ତର୍ଗତ ସହରର ଅଙ୍କନ ପ୍ଲେ ସ୍କୁଲ ନିକଟରୁ ଏକ ବ୍ୟାଗ ପାଇଥିଲେ ।
ଏହା ପରେ ସେ ବ୍ୟାଗରେ ବିପୁଳ ପରିମାଣର ଅଳଙ୍କାର ସହ କିଛି କାଗଜପତ୍ର ଥିବାର ଦେଖିବାକୁ ପାଇଥିଲେ । ପରେ ସେ ଏହି ବ୍ୟାଗ୍କୁ ସଙ୍ଗେ ସଙ୍ଗେ ଅଇଁଠାପାଲି ପୋଲିସର ଜିମା ଦେଇଥିଲେ । ବ୍ୟାଗରେ ଥିବା ସୁନା ଅଳଙ୍କାରର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା କୁହାଯାଉଥିବାବେଳେ ସେ ଲୋଭର ବଶବର୍ତ୍ତୀ ନହୋଇ ପ୍ରକୃତ ବ୍ୟାଗ ଯାହାର ତାକୁ ଫେରାଇବା ପାଇଁ ପୋଲିସକୁ ଅନୁରୋଧ କରିଥିଲେ ।
ଅନ୍ୟପକ୍ଷରେ ସୁନା ଅଳଙ୍କାର ବ୍ୟାଗ ହରାଇଥିବା ଜଣେ ମହିଳା ଥାନାକୁ ଏନେଇ ଏତଲା ଦେବା ପାଇଁ ପହଞ୍ଚିଥିଲେ । ସେହିସମୟରେ ପୋଲିସ ଷ୍ଟେସନରେ ମହିଳା ଜଣକ ତାଙ୍କର ଅଳଙ୍କାର ଚିହ୍ନି ପାରିଥିଲେ ଓ ବ୍ୟାଗ୍ ଫେରିପାଇବା ପରେ ଖୁସି ହୋଇଥିଲେ । ଗତକାଲି ମହିଳା ଜଣକ ସ୍କୁଟିରେ ଘରକୁ ଯିବା ବେଳେ ଅଳଙ୍କାର ବ୍ୟାଗଟି ଗାଡିରୁ ଖସି ପଡ଼ିଥିଲା । ଏହି ଅଳଙ୍କାର ପ୍ରାୟ ୨୦ଲକ୍ଷ ଟଙ୍କାର ହେବ ବୋଲି ପୋଲିସ କହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ