ସମ୍ବଲପୁର: ଆସନ୍ତା 22 ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହାକୁ ନେଇ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି ଅବସରରେ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଦିନ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ଭଜନ, କୀର୍ତ୍ତନ, ପ୍ରସାଦ ସେବନ ଓ ଦୀପୋତ୍ସବ ଆଦି କାର୍ଯ୍ୟକ୍ରମ ଆୟୋଜନ ହେବ । ଏହାସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ 51 କ୍ୱିଣ୍ଟାଲ ବୁନ୍ଦି ଲଡୁ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି ।
ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ନିଜେ ଏହି ଦାୟିତ୍ୱ ନେଇଛନ୍ତି । 7ଟି ସ୍ଥାନରେ ଏହି ମିଠା ତିଆରି ଆରମ୍ଭ ହୋଇ ସାରିଛି । ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ନିଜେ ବୁନ୍ଦି ତିଆରି କରୁଥିବା ଭିଡିଓ ଜାରି କରିଛି ବିଜେପି । ବିଜେପି ପକ୍ଷରୁ ଗଣମାଧ୍ୟମ ସଂଯୋଜକ ମାନସ ବକ୍ସି କହିଛନ୍ତି, "ଏହା ଏକ ଐତିହାସିକ ଦିନ । ଦୀର୍ଘ 500 ବର୍ଷର ଲଢେଇ ପରେ ଏହି ଶୁଭ ଦିନ ଆସିଛି । ତେଣୁ ଦେଶରେ ଏକ ପ୍ରକାର ଉତ୍ସବର ମାହୋଲ ରହିଛି । ଆସନ୍ତା ୨୨ ତାରିଖରେ ଉତ୍ତରପ୍ରଦେଶ ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ତାରିଖ ଘୋଷଣା ହେଲା ପରଠାରୁ ସମଗ୍ର ଦେଶରେ ଏକ ଅଲୌକିକ, ଆଧ୍ୟାତ୍ମିକ ଓ ଭାବନାତ୍ମକ ପରିବେଶ ସୃଷ୍ଟି ହେଇଛି । ଏହି ଦିନଟିକୁ ସମସ୍ତେ ନିଜ ନିଜ ହିସାବରେ ନିଆରା ଢଙ୍ଗରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।"
ଏହା ମଧ୍ୟ ପଢନ୍ତୁ...ଗର୍ଭଗୃହରେ ବିରାଜିଲେ ରାମଲାଲା, ରାମନାମରେ କମ୍ପିଲା ଚତୁର୍ଦ୍ଦିଗ
ତେବେ ମନ୍ଦିର ଗୁଡ଼ିକରେ ପୂଜାର୍ଚ୍ଚନା, ଭଜନ, କୀର୍ତ୍ତନ, ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯିବା ସହିତ ସମସ୍ତେ ନିଜ ନିଜ ଘରେ ଦୀପୋତ୍ସବ ପାଳନ କରିବେ । ଏହା ବ୍ୟତୀତ ବହୁ ଅନୁଷ୍ଠାନ ପ୍ରତିଷ୍ଠାନ ବ୍ୟକ୍ତି ବିଶେଷ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବେ । ଏହି ଅବସରରେ ସମ୍ବଲପୁର ବିଜେପି ସମ୍ବଲପୁର ବିଧାନସଭା କ୍ଷେତ୍ର ପକ୍ଷରୁ ୫୧ କୁଇଣ୍ଟାଲ ବୁନ୍ଦି ଲଡୁ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆଜି ଲଡୁ ତିଆରିର ଶୁଭାରମ୍ଭ ହୋଇଯାଇଥିବା ନେଇ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ସମ୍ବଲପୁର