ସମ୍ବଲପୁର: ରାଜ୍ୟ ସରକାରଙ୍କ ଫୋକସ ସମଲେଶ୍ୱରୀ ପୀଠ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରେ ଏବେ ରାଜ୍ୟ ସରକାର ସମଲେଶ୍ୱରୀ ପୀଠର ଉନ୍ନତିକରଣ ପାଇଁ 200 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ସମଗ୍ର ପଶ୍ଚିମ ଓଡିଶାର ଆସ୍ଥା ଓ ବିଶ୍ୱାସର ପୀଠ ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ଏହାକୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସ୍ୱାଗତ କରିଛି ।
ସମଲେଶ୍ୱରୀ ମନ୍ଦିର ପାଇଁ 108 ଏକର ଜମିରେ ହେବ ବିକାଶର ପ୍ରକଳ୍ପ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 200 କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ପୂର୍ବରୁ ସମ୍ବଲପୁରରେ ଶିଳ୍ପାୟନର ବିକାଶ ହୋଇ ଥିବାବେଳେ ବର୍ତ୍ତମାନ ଡିଭାଇନ ଟୁରିଜିମର କେନ୍ଦ୍ର ବିନ୍ଦୁ ପାଲଟିବ ସମ୍ବଲପୁର । ଏଥିପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ମନ୍ଦିର ସହ ଆଖପାଖର 108 ଏକର ଜମିରେ ବିକାଶ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ପୂର୍ତ୍ତ ବିଭାଗ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି । ଏହି ପ୍ଲାନ ଅନୁସାରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବ । ଏଥିସହ ମନ୍ଦିର ଚାରିପାଖରେ ବେଢ଼ା ବୁଲିବା ପାଇଁ 1 କିମି ଦୈର୍ଘ୍ୟ ବିଶିଷ୍ଟ ପାଦଚଲା ରାସ୍ତା ନିର୍ମାଣ କରାଯିବ। ଏହି ପରିକ୍ରମା ପଥରେ ବୃକ୍ଷ ରୋପଣ ମଧ୍ୟ କରାଯିବ ।
ସେହିପରି ଯାତ୍ରୀମାନଙ୍କ ସୁବିଧା ପାଇଁ ପାର୍କିଂ ସ୍ଥାନ, ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍, ଶୌଚାଳୟ, ସୂଚନା କେନ୍ଦ୍ର, ଯାତ୍ରୀ ନିବାସ, ଦାନ କେନ୍ଦ୍ରର ବ୍ୟବସ୍ଥା ରହିବା ସହ ମନ୍ଦିରରୁ ମହାନଦୀକୁ ସଂଯୋଗ କରୁଥିବା ପାଦ ଚଲା ରାସ୍ତା ନିର୍ମାଣ ହେବ । ମନ୍ଦିରରୁ ମହାନଦୀକୁ ଯେଉଁ ପାଦଚଲା ରାସ୍ତା ତିଆରି ହେବ ତାହା 30 ମିଟର ଚଉଡା ବିଶିଷ୍ଟ ହେବ । ୱେଷ୍ଟଲ୍ୟାଣ୍ଡର ବିକାଶ ସହ 5 ଏଲଏମଡିର ଏକ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ତିଆରି ହେବ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଫୁଡ଼ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଙ୍ଗମଞ୍ଚର ବ୍ୟବସ୍ଥା ରହିବ । ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀର ବିକ୍ରି ପାଇଁ ବ୍ୟବସ୍ଥା ରହିବ । ମହାନଦୀକୂଳର ବିକାଶ ମଧ୍ୟ କରାଯିବ ଯେପରିକି ଲୋକମାନେ ସୁବିଧାରେ ନିଜର ରୀତିନୀତି ଓ ପରମ୍ପରା ପାଳନ କରିପାରିବେ । ପର୍ଯ୍ୟଟକଙ୍କ ମହାନଦୀର ଦୃଶ୍ୟ ଅବଲୋକନ ପାଇଁ ପ୍ୟାଭିଲିୟନ, ପ୍ଳାଜା, ଡେକ ଆଦି ନିର୍ମାଣ କରାଯିବ । ଏହାସହ ରିଂ ରୋଡ଼ର ସମ୍ପ୍ରସାରଣ ମଧ୍ୟ କରାଯିବ । ସମଲେଶ୍ୱରୀ ମନ୍ଦିର ପାଖରେ ପ୍ରତ୍ୟେହ ମହାନଦୀ ଆଳତୀର ବ୍ୟବସ୍ଥା କରାଯିବ । ପ୍ରଭାବିତଙ୍କ ପାଇଁ ଉଦାର ଥଇଥାନ ପ୍ୟାକେଜ ସହ ସେବାୟତଙ୍କ ପାଇଁ ବାସଗୃହ ର ବ୍ୟବସ୍ଥା କରାଯିବ।
ଏହାସହ ରାଜଘାଟର ମଧ୍ୟ ବିକାଶ କରାଯିବ । ରାଜଘାଟରେ ଶ୍ରାଦ୍ଧ ମଣ୍ଡପ ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ । ମନ୍ଦିରର ଚାରିପାଖରେ ଥିବା 6 ଟି ବସ୍ତିର ଲୋକ ବିସ୍ଥାପିତ ହେବାର ସମ୍ଭାବନା ରହିଛି । ସବୁ ବିସ୍ଥାପିତଙ୍କୁ ଥଇଥାନ କରାଯିବ ବୋଲି ସୂଚନା ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ