ରାୟଗଡା: ଆନ୍ଧ୍ରର ଗୁଣ୍ଟୁରୁ ଜିଲ୍ଲା ଟିକଟ ଲାଙ୍କାଭାନିଦିବା ଗ୍ରାମ ନିକଟରେ ଥିବା ଏକ ଚିଙ୍ଗୁଡି ବନ୍ଧ ଓ ଚିଙ୍ଗୁଡି ପ୍ରୋସେସିଙ୍ଗ ୟୁନିଟରେ କାମ କରିବାକୁ ରାୟଗଡା ଏବଂ ଗଜପତି ଜିଲ୍ଲାରୁ ଯାଇଥିବା ୬ ଜଣ ପ୍ରବାଶୀ ଓଡିଆ ଶ୍ରମିକଙ୍କ ଏକ ଦୁର୍ଘଟଣାରେ ଜୀବନ ଯାଇଥିଲା । ସମସ୍ତ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସେଠିକା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକଙ୍କ ମଧ୍ୟରୁ ୫ ଜଣ ଗୁଣପୁର ଅଞ୍ଚଳରୁ ହୋଇଥିବା ବେଳେ ଜଣେ ଗଜପତି ଜିଲ୍ଲା ଜୀରାଙ୍ଗ ରାୟଗଡାର ବୋଲି ଜଣା ପଡିଛି ।
ଦୁଇମାସ ତଳେ ୧୦ ଜଣ ଶ୍ରମିକ ସ୍ଥାନୀୟ ଅଞ୍ଚଳରୁ ବାହାରି ଗୁଣ୍ଟୁର ନିକଟସ୍ଥ ଉକ୍ତ ଚିଙ୍ଗୁଡି ପ୍ରୋସେସିଙ୍ଗ ୟୁନିଟକୁ ଯାଇଥିଲେ । ଗତ ଗୁରୁବାର ରାତିରେ ଗୋଟିଏ ଟିଣ ଘରେ ଶୋଇଥିବା ସମୟରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଘଟଣା ସ୍ଥଳରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ଜଣାପଡିବା ପରେ ଆଜି(ଶନିବାର) ଘଟଣା ସ୍ଥଳରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ମୃତକଙ୍କ ପରିବାରକୁ ସାଥିରେ ନେଇ ପହଞ୍ଚିଥିଲେ । ତାଙ୍କ ସହ ବିଜେଡିର ଏକ ଟିମ ପହଞ୍ଚି ଆନ୍ଧ୍ର ପୋଲିସ ଏବଂ ଗୁଣ୍ଟୁର ଜିଲ୍ଲା ପ୍ରଶାସନ ସହ କ୍ଷିତିପୂରଣ ନେଇ ଆଲୋଚନା କରିଥିଲେ ।
ଏହି ଦୁର୍ଘଟଣା କିଭଳି ଘଟିଲା ଏବଂ ଚିଙ୍ଗୁଡ଼ି ମାଲିକ କାହିଁକି ଦାଦନ ଶ୍ରମିକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ନଥିଲେ ବୋଲି ଅଭିଯୋଗ କରିଛନ୍ତି ବିଧାୟକ ରଘୁନାଥ ଗମାଙ୍ଗ । ଘଟଣାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଅନୁକମ୍ପା ମୂଳକ ସହାୟତା ପାଇଁ ବିଧାୟକ ଦାବି କରିବା ସହ ତୁରନ୍ତ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ବିଧାୟକଙ୍କ ଅନୁରୋଧକୁ ରକ୍ଷାକରି ଆନ୍ଧ୍ର ସରକାରଙ୍କ ପକ୍ଷରୁ ମୃତ ୬ ଜଣ ଦାଦନ ଶ୍ରମିକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିଲେ ।
ସେପଟେ ଚିଙ୍ଗୁଡି ପ୍ରୋସେସିଙ୍ଗ ୟୁନିଟର ମାଲିକ ମଧ୍ୟ ମୃତକ ପରିବାର ପିଛା ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜି ହୋଇଥିବା କହିଛନ୍ତି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ । ପରେ ମୃତକଙ୍କ ପରିବାର ବର୍ଗଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରିବା ପରେ ଚିଙ୍ଗୁଡି ପ୍ରୋସେସିଙ୍ଗ ୟୁନିଟର ମାଲିକଙ୍କ ସହଯୋଗରେ ସେଠାରେ ହିଁ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଘଟଣା ସ୍ଥଳରେ ପରିବାରବର୍ଗଙ୍କୁ ନେଇ ପହଞ୍ଚିଲେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ