ରାୟଗଡା: ବହୁଚର୍ଚ୍ଚିତ ରାୟଗଡ଼ା ମା' ଗୃହ ୱାର୍ଡେନଙ୍କ ମୃତ୍ୟୁ ଘଟଣା । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ମହିଳା । ଗୁରୁବାର ଚନ୍ଦ୍ରପୁର ବ୍ଲକର ୮ଟି ପଞ୍ଚାୟତର ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ସହ ଦୋଷୀଙ୍କୁ କୋଠର ଦଣ୍ଡ ଦେବା ଦାବିରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଓ ସେଣ୍ଟ୍ରାଲ ଫରେନସିକ ଟିମ ତଦନ୍ତ କରୁଛି । ହେଲେ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।
ରାୟଗଡା ଜିଲ୍ଲାର ବହୁ ଚର୍ଚ୍ଚିତ ମା’ ଗୃହ ୱାର୍ଡେନ ଲକ୍ଷ୍ମୀ ମାଝୀଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର ଘଟଣାରେ ଚନ୍ଦ୍ରପୁର ବ୍ଲକର ମହିଳାଙ୍କ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଛି । ଲକ୍ଷ୍ମୀଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଦାବିରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚନ୍ଦ୍ରପୁର ବ୍ଲକର ୮ଟି ପଞ୍ଚାୟତର ଶତାଧିକ ମହିଳା ଏଥିରେ ସାମିଲ ହୋଇ ଲକ୍ଷ୍ମୀ ମାଝୀଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ଚନ୍ଦ୍ରପୁର ଥାନା ତହସିଲ କାର୍ଯ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଲକ୍ଷ୍ମୀଙ୍କ ମୃତ୍ୟୁକୁ 29 ଦିନ ବିତିଥିଲେ ମଧ୍ୟ ପୋଲିସ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ନେଇ ବିଷମକଟକ ଏସଡିପିଓ, ଚନ୍ଦ୍ରପୁର ବିଡ଼ିଓ ଓ ତହସିଲଦାରକୁ ଗୋଟାଏ ଲେଖା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ.... କୂଅରେ ପକାଇ ଯାଆଁଳା ଭାଇ-ଭଉଣୀଙ୍କୁ ହତ୍ୟା
ଏହାସହ ପଞ୍ଚାୟତଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା, ନିଶା ମୁକ୍ତ ପରିବେଶ ଗଠନ କରିବା ଦାବି କରିଛନ୍ତି । ଗତ 11 ତାରିଖ ଦିନ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରଠାରେ ଥିବା ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝୀଙ୍କ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚନ୍ଦ୍ରପୁର ପୋଲିସ ଉଦ୍ଧାର କରିଥିଲା । ଇତି ମଧ୍ୟରେ କ୍ରାଇମବ୍ରାଞ୍ଚ ଟିମ ଏହାର ତଦନ୍ତ କରୁଥିବା ବେଳେ ଦିଲ୍ଲୀରୁ ଦୁଇ ଜଣିଆ ସେଣ୍ଟ୍ରାଲ ଫରେନସିକ ଟିମ ମଧ୍ୟ କାର୍ଯ୍ୟ କରୁଛି । ହେଲେ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ତେବେ ଲକ୍ଷ୍ମୀଙ୍କ ଶରୀରରେ କିଭଳି ନିଆଁ ଲାଗିଲା ତାହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ଏଭଳି ସ୍ଥିତିରେ ଜିଲ୍ଲା ପୋଲିସ କେନ୍ଦ୍ର ଫରେନସିକ ଲ୍ୟାବର ସହାୟତା ଲୋଡିଛି । ଏହା ମଧ୍ୟରେ ତିନିଥର କ୍ରାଇମବ୍ରାଞ୍ଚ ଚନ୍ଦ୍ରପୁର ଯାଇ ଫେରିଥିବା ବେଳେ ହତ୍ୟାର ସୁରାଖ ମିଳି ପାରିନାହିଁ । ତେବେ ଲକ୍ଷ୍ମୀଙ୍କୁ କିଏ ଓ କାହିଁକି ହତ୍ୟା କଲା ନା ସେ କାହିଁକି ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ଏସବୁ ପ୍ରଶ୍ନ ଫରେନସିକ ରିପୋର୍ଟ ମିଳିବା ପରେ ହିଁ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ପୋଲିସ କହିଛି ।
ଇଟିଭି ଭାରତ, ରାୟଗଡା