ରାୟଗଡ଼ା: ରେଳମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାୟଗଡ଼ା ରେଳ ଷ୍ଟେସନ୍ ପରିଦର୍ଶନ କଲେ ରେଳ ଡିଭିଜନ୍ ଡିଆରଏମ । ରାୟଗଡାକୁ ପୂର୍ବତଟ ରେଳ ଡିଭିଜନର ମାନ୍ୟତା ମିଳି ଇତିମଧ୍ୟରେ 1 ବର୍ଷରୁ ଅଧିକ ସମୟ ବିତିଛି । ରେଳ ଷ୍ଟେସନର ଭିତ୍ତିଭୂମୀ ନିର୍ମାଣ ପାଇଁ 2020 କେନ୍ଦ୍ରୀୟ ରେଳ ବଜେଟରେ 170 କୋଟି ଟଙ୍କାର ବ୍ୟୟବରାଦ କରାଗଲା । କିନ୍ତୁ ମହାମାରୀ କୋରୋନା ଯୋଗୁଁ ବିଭିନ୍ନ ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି । ଆସନ୍ତା ଅଗଷ୍ଟ 17 ତାରିଖରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାୟଗଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି ।
ଏଥିପାଇଁ ପୂର୍ବତଟ ରେଳ ବିଭାଗ ବେଶ୍ ତତ୍ପର ହୋଇଉଠିଛି । ଶୁକ୍ରବାର ରେଳ ରାୟଗଡ଼ା ଷ୍ଟେସନର ସ୍ଥିତି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ୱାଲଟିୟର୍ ଡିଭିଜନ ଡିଆରଏମ୍ ଅନୁପ କୁମାର ଶତପଥୀ ରାୟଗଡ଼ା ଗସ୍ତରେ ଆସିଛନ୍ତି । 3 ଦିନ ପୂର୍ବେ ଦାୟିତ୍ବ ନେବା ପରେ ଶୁକ୍ରବାର ରାୟଗଡାରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବରିଷ୍ଠ ବାଣିଜ୍ୟିକ ଅଧିକାରୀ ଓ ବୈଷୟିକ ଅଧିକାରୀଙ୍କୁ ନେଇ ସେ ଷ୍ଟେସନ ପରିଦର୍ଶନ କରିବା ସହ ଡିଭିଜନ୍ ପାଇଁ ନିର୍ମାଣ ହେଉଥିବା ବିଭିନ୍ନ କୋଠାକୁ ଅନୁଧ୍ୟାନ କରିଛନ୍ତି ।
ଏହାସହ ନୂତନ ଭାବେ ନିର୍ମାଣ ହେଉଥିବା ଷ୍ଟେସନ୍ ଓ କାର୍ଯ୍ୟାଳୟ କୋଠାର ଅଗ୍ରଗତି ସଂକ୍ରାନ୍ତରେ ଡିଆରଏମ୍ ଅନୁପ ଶତପଥୀ ଟିକନିଖ୍ ସମୀକ୍ଷା କରିଛନ୍ତି । ନିର୍ମାଣ କାର୍ଯ୍ୟ କିପରି ଅଧିକ ତ୍ବିରାନ୍ବିତ ହେବ ସେ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ଡିଆରଏମ୍ ନିର୍ଦ୍ଦେଶ ଦେଇଥିଲେ । ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାରେ ଜାତୀୟ ସ୍ତରର ଶିଳ୍ପ ପ୍ରତିଷ୍ଠାନ ରହିଥିବା ବେଳେ ରେଳ ଯୋଗାଯୋଗ ଦୃଷ୍ଟିକୋଣରୁ ଜିଲ୍ଲା ପଛରେ ପଡିଛି ।
ସେହିପରି ରାୟଗଡା ରେଳ ଷ୍ଟେସନ୍ରୁ ଦେଶର ବିଭିନ୍ନ ସ୍ଥାନକୁ ମାଲପରିବହନ ସହ ବାର୍ଷିକ ଏହି ଷ୍ଟେସନରୁ ରେଳ ବିଭାଗ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଛି । ଏଭଳି ପରିସ୍ଥିତିରେ ନିର୍ମାଣ କାର୍ଯ୍ୟ ଧିମେଇ ଯାଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ନୂ୍ତନ ଭାବେ ଅନୁପ କୁମାର ଶତପଥୀ ଡିଆରଏମ୍ ଦାୟିତ୍ବ ନେବା ପରେ ରାୟଗଡା ଷ୍ଟେସନର ରୂପରେଖ ବଦଳିବା ସହ ଡିଭିଜନ୍ କାର୍ଯ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ ଅଧିକ ତ୍ବରାନ୍ବିତ ହେବା ନେଇ ଆଶା କରାଯାଉଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ