ରାୟଗଡା : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ବାସଭବନରେ ଚଢାଉ । ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଅମାପ ଧନ ସମ୍ପତ୍ତି ଜବତ କରାଯିବା ସହ ତଦନ୍ତକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଅମାପ ସମ୍ପତ୍ତି ରହିଥିବା ସନ୍ଦେହ କରି ଭିଜିଲାନ୍ସ ବିଭାଗ ଖୋଳ ତାଡ ଜାରି ରଖିଛି । ଏପଟେ ଆଜି(ବୁଧବାର) ଭିଜିଲାନ୍ସ ବିଭାଗ ଅଭିଯୁକ୍ତ ଆଶିଷଙ୍କୁ ରିମାଣ୍ଡରେ ନେବା ପାଇଁ ରାୟଗଡା ଭିଜିଲାନ୍ସ ସର୍କିଟ୍ କୋର୍ଟର ଦ୍ବାରସ୍ଥ ହୋଇଛି । ଆଜି ଅପରାହ୍ନରେ ଭିଜିଲାନ୍ସ ବିଭାଗ ଆଶିଷଙ୍କୁ କୋର୍ଟରେ ହାଜର କରିବା ସହ 7 ଦିନିଆ ରିମାଣ୍ଡରେ ନେବାପାଇଁ ଆବେଦନ କରିଥିଲା ।
ତେବେ ମାମଲାର ବିଚାର କରି କୋର୍ଟ 4 ଦିନର ରିମାଣ୍ଡ ପାଇଁ ଭିଜିଲାନ୍ସ ବିଭାଗକୁ ଅନୁମତି ଦେଇଛନ୍ତି । ଏହି ପରିପେକ୍ଷୀରେ ଆଜି ତାଙ୍କୁ କୋରାପୁଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆସନ୍ତାକାଲିଠାରୁ ଭିଜିଲାନ୍ସ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କୁ 4 ଦିନଆ ରିମାଣ୍ଡରେ ନେଇ ପଚରାଉଚରା କରିବ । ଏହି ମାମଲା ଜଣାପଡିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଶିଷଙ୍କ ସମ୍ପର୍କୀୟଙ୍କ ଘରେ ରେଡ ଜାରି ରହିଥିବା ବେଳେ ମଙ୍ଗଳବାର ରାୟଗଡା ଜିଲ୍ଲା ଗୁଣୁପୁର ଏକ୍ସିସବ୍ୟାଙ୍କ ଲକ୍କରକୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ଏହି ବ୍ୟାଙ୍କ ଲକରରୁ ଆଶିଷଙ୍କର ସୁନାଚେନ 4 ଗୋଟି, ସୁନାଚୁଡି 2 ଗୋଟି, 10ଟି ଦଶଗ୍ରାମର ସ୍ୱର୍ଣ୍ଣମୁଦ୍ରା ଏଭଳି ମୋଟ 385 ଗ୍ରାମର ସୁନାସାମଗ୍ରୀ ଠାବ କରିଥିବା ମାଲକାନଗିରି ଭିଜିଲାନସ ଡ଼ିଏସପି ସୁଶାନ୍ତ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ