ରାୟଗଡ଼ା: ଜିଲ୍ଲାରେ ହଇଜା ସଂକ୍ରମଣ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । କାଶୀପୁର ବ୍ଲକ୍ର ଅନେକ ଗ୍ରାମରେ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସେମାନେ ହଇଜା ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ତାହାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ତେବେ ସେମାନଙ୍କୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଏହି ସଙ୍କଟ ସ୍ଥିତିରେ କାଶୀପୁରରେ ଡାକ୍ତର ପଦବୀ ଖାଲି ପଡ଼ିବା ଚିନ୍ତାକୁ ଦ୍ବିଗୁଣିତ କରିଛି ।
ସର୍ଭେଲାନ୍ସରେ ସଂକ୍ରମତି ଗାଁ
କାଶୀପୁର ଗସ୍ତ ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ବ୍ଲକ୍ରେ ୭ ଡାକ୍ତର ପଦବୀ ଖାଲି ଥିବା କଥା କହିଥିଲେ କିନ୍ତୁ ବାସ୍ତବରେ ଏଠାରେ ୧୦ଟି ଡାକ୍ତର ପଦବୀ ଖାଲି ପଡ଼ିଛି । ଏପରିକି ୩ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହାଁନ୍ତି ଜଣେ ମଧ୍ୟ ଡ଼ାକ୍ତର । ବର୍ତ୍ତମାନ ହଇଜା ବ୍ୟାପିବା ପରେ ଡେପୁଟେସନରେ ଡାକ୍ତରୀ ଦଳ ଆସି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି । କାଶୀପୁରରେ ୨୦ରୁ ଅଧିକ ଗାଁ ହଇଜା କବଳରେ କବଳିତ ହୋଇଛନ୍ତି । ଏଭଳି ସଙ୍କଟ ସ୍ଥିତିରେ ୨୪୬ ଗାଁକୁ ସର୍ଭେଲାନ୍ସରେ ରଖିଛି ଜିଲ୍ଲା ପ୍ରଶାସନ ।
ଜାରି ରହିଛି ଚିକିତ୍ସା
କାଶୀପୁରରେ ହଇଜା ମୃତ୍ୟୁସଂଖ୍ୟା ବର୍ତ୍ତମାନ ୯ରେ ପହଞ୍ଚିଛି । ଟିକିରି, ଉତ୍କଳ ହସ୍ପିଟାଲ, ଉତ୍କଳ ଟିକିରି ହସ୍ପିଟାଲ ଓ କାଶୀପୁର 4ଟି ସ୍ବାସ୍ଥ୍ୟକେନ୍ଦ୍ରରେ ୬୦ରୁ ଉର୍ଦ୍ଧ୍ବ ହଇଜା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତାସହିତ ଭ୍ରାମ୍ୟମାଣ ଚିକିତ୍ସକ ଦଳ ୪୦ରୁ ଅଧିକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ୧୭ଟି ଡାକ୍ତରଙ୍କ ସ୍ଥାନରେ ୭ଜଣ ଡାକ୍ତର କାମ ଚଳା ସେବା ଯୋଗାଇ ଦେଉଛନ୍ତି । ତେବେ ୮ଜଣ ଡାକ୍ତର ଡେପୁଟେସନ ଆସି ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶ୍ବସନା
ସେପଟେ ଜୁଲାଇ ୨୩ ତାରିଖରେ କାଶୀପୁର ବ୍ଲକ୍ ଗସ୍ତ କରି ସ୍ଥିତି ପରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନବ ଦାଶଙ୍କ ସହ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଧାୟକ ମକରନ୍ଦ ମୁଦୁଲି, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଓ ଜିଲ୍ଲାପାଳ ସ୍ବଦ୍ଧାଦେବ ସିଂହ । ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କାଶୀପୁର ଗସ୍ତ ସମୟରେ ଦୁଦୁକାବାହାଲ ଏବଂ ଟିକିରି ଝଡିଆ ସାହିରେ ସାଧାରଣ ଲୋକଙ୍କ ରୋଷର ଶିକାର ହେବାକୁ ପଡିଥିଲା । କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି । ତେବେ ଶିଶୁ ହଇଜା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।
୨୦୦୭ରେ ସ୍ଥିତି ଥିଲା ଚିନ୍ତାଜନକ
ତେବେ ୨୦୦୭ ମସିହାରେ ରାଜ୍ୟରେ ହଇଜା ସଂକ୍ରମଣ ସ୍ଥିତି ଉଦବେଗଜନକ ଥିଲା । ଏହି ସମୟରେ ୩୫୮ ଗ୍ରାମକୁ ବ୍ୟାପିଥିଲା ମହାମାରୀ ହଇଜା । ମୋଟ ୮୨୦୬ ଲୋକ ହଇଜାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୬୨ ଛୁଇଁଥିଲା । ମୁଖ୍ୟତଃ ୪ଟି ଜିଲ୍ଲା ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ଗଜପତିରେ ହଇଜା ଉଗ୍ରରୂପ ଧାରଣ କରିଥିଲା । ରାୟାଗଡ଼ାର ଦୁଇଟି କାଶୀପୁର ଓ କୋଲନରାରେ ଯଥାକ୍ରମେ ୫୨ ଓ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି କୋରାପୁଟର ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକ୍ରେ ଯଥାକ୍ରମେ ୪୩ ଓ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା । ତା ସହିତ କଳାହାଣ୍ଡିର ଥୂଆମୁଳା ରାମପୁରରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗଜପତିର ମୋହନାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା ।
ବର୍ତ୍ତମାନ ହଇଜା ସ୍ଥିତିରୁ କାଶୀପୁରକୁ କେବେ ନିସ୍ତାର ମିଳିବ ତାହା ସମୟ କହିବ । ତେବେ ବର୍ତ୍ତମାନ ସ୍ଥିତିରେ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ଓ ସଚେତନ ନିତାନ୍ତ ଆବଶ୍ୟକ । ତା ସହିତ ଟିକିରି ହସ୍ପିଟାଲ୍ରେ ଝାଡ଼ାବାନ୍ତି ଯୋଗୁଁ ଭର୍ତ୍ତି ହୋଇଥିବା ଶିଶୁଙ୍କୁ ବିଶେଷ ଧ୍ୟାନ ଦେବା ଜରୁରୀ । ସେମାନେ ହଇଜାରେ ଆକ୍ରାନ୍ତ କି ନାହିଁ ତାହାକୁ ନେଇ ପ୍ରଶାସନ ସ୍ପଷ୍ଟ କରିନି । ତେବେ ପ୍ରଶାସନ କେବେ ଏହାକୁ ନେଇ ସ୍ପଷ୍ଟୋକ୍ତି ଦେବ ତାହାରି ଉପରେ ସଭିଁଙ୍କ ନଜର ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ