ରାୟଗଡ଼ା: ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଗୋଟିଏ ପରିବାରର ୪ ସଦସ୍ୟ । ୩ ଜଣ ଉଦ୍ଧାର ହୋଇଥିବା ବେଳେ, ଜଣେ ୫ ବର୍ଷର ଶିଶୁ ନିଖୋଜ ରହିଛି (child drowned in Nagabali)। ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀରେ ଏଭଳି ଏକ ଅଘଟଣ ଘଟିଛି (Accident in Nagabali river) । ଆନ୍ଧ୍ରପ୍ରଦେଶ ଏଲୁର ସହରର ଏ. ଗୋପାଳ କ୍ରୀଷ୍ଣା ନିଜ ପରିବାର ସହ ମଝିଘରିଆଣୀ ମନ୍ଦିରକୁ ଆସିଥିଲେ ।
ମନ୍ଦିରରେ ମାଆଙ୍କ ଦର୍ଶନ ପରେ ପୂରା ପରିବାର ନାଗାବଳୀ ନଦୀ ଉପରେ ଥିବା ଝୁଲା ପୋଲ ଦେଖିବାକୁ ଯାଇଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ୩ ଜଣ ସଦସ୍ୟ ନଦୀ ପାଣିରେ ଭାସି ଯାଇଥିଲେ । ଦୁଇଜଣ କୌଣସି ମତେ ଉଦ୍ଧାର ହୋଇଥିବା ବେଳେ ଏ. ଗୋପାଳ କ୍ରୀଷ୍ଣାଙ୍କ ଶିଶୁ ପୁତ୍ର ପାଣିରେ ଭାସି ଯାଇଥିଲା । ପୁଅକୁ ବଞ୍ଚାଇବାକୁ ଯାଇ ସେ ନଦୀକୁ ଡେଇଁ ପଡ଼ିଥିଲେ । ତେବେ ପୁଅକୁ ଉଦ୍ଧାର କରି ପାରିନଥିଲେ । ଏ. ଗୋପାଳ କ୍ରୀଷ୍ଣା ନଦୀ ପାଣିରେ ପ୍ରାୟ ୨ ଘଣ୍ଟା କାଳ ଫସି ରହିବା ପରେ ତାଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଏ. ଗୋପାଳ କ୍ରୀଷ୍ଣାଙ୍କ ଶିଶୁ ପୁତ୍ରର କୌଣସି ପତ୍ତା ମିଳିପାରିନାହିଁ । ପ୍ରାୟ ୧୦ ଜଣ ନାଗାବଳୀ ନଦୀର ଝୁଲାପୋଲ ବୁଲିବାକୁ ଯାଇଥିଲେ । ନଦୀରେ ହାତ ଗୋଡ଼ ଧୋଇବା ବେଳେ ତିନି ଜଣ ଭାସି ଯାଇଥିବା କଥା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ନଦୀର ପ୍ରବାହ ଅଧିକ ଥିବାରୁ ଉଦ୍ଧାରକାରୀ ଦଳ ଶିଶୁପୁତ୍ରକୁ ଖୋଜାଖୋଜି କରିବାରେ ସମସ୍ୟା ଉପୁଜିଛି ।
କିଛିଦିନ ପୂର୍ବରୁ ନାଗାବଳୀ ନଦୀରେ ଜଣେ ମହିଳା ନିଜ ଶିଶୁପୁତ୍ର ସହ ଫଶି ଯାଇଥିଲେ । ତାଙ୍କୁ ଉଦ୍ଧାରକାରୀ ଦଳ ସଠିକ ସମୟରେ ପହଞ୍ଚି ଉଦ୍ଧାର କରିଥିଲେ ।