ରାୟଗଡା : ଅନ୍ତେବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏସିଡ ମାଡ । ଘଟଣାରେ ଜଣେ ଆହତ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅନ୍ତେବାସୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଥାନା କୁମ୍ଭୀକୋଟା ସ୍ଥିତ ସରକାରୀ କ୍ବାରେନଣ୍ଟାଇନ ହୋମରେ ।
ବିହାର ଚମ୍ପାରନ ଜିଲ୍ଲା ମରକଟିଆ ଗ୍ରାମର କିଛି ସୁନା ସଫା କରିବା ବ୍ୟକ୍ତି ପୋଲିସ ହାବୁଡରେ ପଡି ଗତ ୧୨ ଦିନ ଧରି କୁମ୍ଭୀକଟା ସ୍ଥିତ କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଥିଲେ । ରବିବାର ଅପରାହ୍ନରେ ଏମାନଙ୍କ ମଧ୍ୟରେ ୫୦୦ ଟଙ୍କାକୁ ନେଇ ପରସ୍ପର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ବିଘ୍ନେଶ ସାହାଙ୍କ ସ୍ତ୍ରୀ ଦିଲ୍ଲୀପ ଶାହାଙ୍କ ଆକାଉଣ୍ଟକୁ ଗତ ୨ ଦିନ ତଳେ ୫୦୦ ଟଙ୍କା ପଠାଇଥିଲା ବିଘ୍ନେଶଙ୍କୁ ଦେବା ପାଇଁ । କିନ୍ତୁ ଏହି ଟଙ୍କା ଦିଲୀପ ନଦେବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା ।
ଏଥିରେ ବିଘ୍ନେଶ ଉତକ୍ଷିପ୍ତ ହୋଇ ପାଖରେ ରଖିଥିବା ଏସିଡକୁ ଦିଲ୍ଲୀପ ଉପରେ ମାଡ କରିଥିଲା । ଏସିଡ ମାଡରେ ଦିଲ୍ଲୀପର ମୁହଁ, ହାତ ଓ ଶରୀରର ଅଧିକାଂଶ ଭାଗ ପୋଡି ଯାଇଥିବା ବେଳେ ଆଉ ଜଣେ ଅନ୍ତେବାସୀ ସାମାନ୍ୟ ଆହତ ହୋଇଛନ୍ତି ।
ପରେ ପୋଲିସ ଗୁରୁତର ଦିଲ୍ଲୀପକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ତଦନ୍ତ ହେବ ବୋଲି କହିଛନ୍ତି ରାୟଗଡା ଉପଜିଲ୍ଲାପାଳ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ