ରାୟଗଡା: ଦୁର୍ନୀତିର ଗନ୍ତାଘର ସାଜିଛି ରାୟଗଡା ଜିଲ୍ଲା ଅବକାରୀ ବିଭାଗ । କିଛିଦିନ ତଳେ ଖୋଦ୍ ଅବକାରୀ ଅଧୀକ୍ଷକ ଏବଂ ଦୁଇଜଣ କନେଷ୍ଟବଳ ଲାଞ୍ଚ ମାଗିବା ମାମଲା ପଦାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଏହି ଘଟଣାକୁ ନେଇ ଶେଷରେ ସରକାର ଅବକାରୀ ଅଧୀକ୍ଷକ ଓ କନେଷ୍ଟବଳଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ ।
ଜିଲ୍ଲାରେ ଏବେ ପୁଣି ଏକ ଦୁର୍ନୀତି ପଦାକୁ ଆସିଥିବା ନେଇ ସୂଚନା ମିଳିଛି । ଜଣେ ନିର୍ଦ୍ଦିଷ୍ଟ ମଦ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଜିଲ୍ଲାରେ ୩ଟି ବିୟର ପାର୍ଲର ଖୋଲିବା ପାଇଁ ଅବକାରୀ ନିୟମକୁ ଉଲଙ୍ଘନ କରି ବ୍ୟବସାୟୀଙ୍କ ସପକ୍ଷରେ ବିୟର ପାର୍ଲର ହେବାନେଇ ଜାଲ କାଗଜ ପ୍ରସ୍ତୁତ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଅବକାରୀ ବିଭାଗ । ଆଉ ଏହି ଘଟଣାକୁ ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ନିର୍ଦ୍ଦିଷ୍ଟ ମଦବ୍ୟବସାୟୀଙ୍କୁ ଜିଲ୍ଲାରେ ମଦ ଦୋକାନ ଖୋଲିବା ପାଇଁ ଯେପରି ଅବକାରୀ ନିୟମକୁ ଅଣଦେଖା କରାଯାଇ ଅହେତୁକ ଅନୁକମ୍ପା ଦେଖାଯାଇଛି, ତାହା ନିନ୍ଦନୀୟ ଘଟଣା ବୋଲି ଶ୍ରୀପଣ୍ଡା ଅଭିଯୋଗ କରିଛନ୍ତି ।
ସୂଚନାନୁସାରେ ଗତ ମାର୍ଚ୍ଚ ମାସ ଠାରୁ ଅଗଷ୍ଟ ମାସ ମଧ୍ୟରେ ସମସ୍ତ ଅବକାରୀ ଆଇନକୁ ଉଲଙ୍ଘନ କରି ଜିଲ୍ଲାର ଗୁଣପୁର, ଟିକିରି ଓ ରାୟଗଡା ସହରର କପିଳାସ ରୋଡ ଠାରେ ୩ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ଅଧିକ୍ଷକଙ୍କ ବିନା ସୂଚନା ଓ ବିନା କୌଣସି ଗ୍ରାମସଭା କରି ଅବକାରୀ କମିଶନରଙ୍କୁ ସୁପାରିଶ କରିଛନ୍ତି ବୋଲି ଶ୍ରୀପଣ୍ଡା ପ୍ରଶ୍ନ କରିଛନ୍ତି ।
ସେପଟେ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି କି ଯଦି ଆଗାମୀ ୧୫ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ଯାଏ, ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନ ତୀବ୍ରତର ହେବ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ