ରାୟଗଡ଼ା: ଚାଷୀଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ ରାୟଗଡ଼ା ଜିଲ୍ଲାର ଏକ ମାତ୍ର ଶୀତଳ ଭଣ୍ଡାର(cold stoarage)। ଚାଷୀ ଓ ଚାଷର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ତେବେ ପ୍ରଶାସନିକ ସ୍ଥରରେ ଅବହେଳା ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନାହିଁ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିବା ଶୀତଳ ଭଣ୍ଡାର ।
ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିବା ତିନି ତାଲା ବିଶିଷ୍ଟ ଏହି ଶୀତଳ ଭଣ୍ଡାର 2013 ମସିହା ଫେବ୍ରୁଆରୀ ମାସ 4 ତାରିଖରେ ଉଦଘାଟିତ ହୋଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । 3 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଶୀତଳ ଭଣ୍ଡାର ଏବେ ଭୂତକୋଠି ପାଲଟିଛି। ଶୀତଳ ଭଣ୍ଡାର ଚାରି ପାଖ ଘାସ ଉଠି ଜଙ୍ଗଲ ଛିଡ଼ା ହେଲାଣି । ମୁଖ୍ୟ ଗେଟ ତାଲାରେ କଳଙ୍କି ଲାଗିବାକୁ ବସିଲାଣି ।
ସ୍ଥାନୀୟ ଚାଷୀଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ଚାଷୀଙ୍କ ଉତ୍ପାଦିତ ପନିପରିବା ରଖିବା ଉଦ୍ଦେଶ୍ୟରେ ଏହି ଶୀତଳ ଭଣ୍ଡାର ଆରମ୍ଭ କରାଯାଇଥିଲା। ଉଦଘାଟନ ପରେ ଏହି ଶୀତଳ ଭଣ୍ଡାର କେବେ ଚାଷୀଙ୍କ କାମରେ ଲାଗି ପାରିନଥିବା ଅଭିଯୋଗ କରିଛନ୍ତି ଚାଷୀ। ଦିନଟିଏ ମଧ୍ୟ ଖୋଲିନଥିବା ଶୀତଳ ଭଣ୍ଡାର ଯନ୍ତ୍ର୍ରାଂଶ ଏବେ ଜରାଜୀର୍ଣ୍ଣ ହେବାରେ ଲାଗିଛି । ପରିବା ଉତ୍ପାଦନ ସମୟରେ ଶୀତଳ ଭଣ୍ଡାର କାମରେ ନଆସିବାରୁ ପରିବା ଦର ଏବେ ଆକାଶ ଛୁଆଁ ହୋଇଛି। ଆଳୁ ପିଆଜ ଦର କଥା ନ କହିବା ଭଲ।
ରାୟଗଡ଼ା ଜିଲ୍ଲାର କଲୋନରା , ରାମନାଗୁଡ଼ା , ବିଷମକଟକ , ପଦ୍ମପୁର ,ମୁନିଗୁଡ଼ା ଏବଂ ଗୁଣପୁର ଅଞ୍ଚଳରୁ ପ୍ରତିଦିନ ଶହଶହ ଟନ ପରିବା ରପ୍ତାନି ହୋଇଥାଏ। କେବଳ ସେତିକି ନୁହେଁ ନିୟମଗିରିର ସପୁରି, ପଣସ ଏବଂ କମଳା ରାଜ୍ୟ ବାହାରକୁ ରପ୍ତାନୀ କରାଯାଉଛି। ହେଲେ ଏଠାରେ ଉତ୍ପାଦିତ ହେଉଥିବା ଫଳ ପନିପରିବାର ମୂଲ୍ୟ ପାଇ ପାରୁନାହାଁନ୍ତି ଚାଷୀ । ପ୍ରଚରୁ ପରିମାଣରେ ପରିବା ଉତ୍ପାଦନ ହେଉଥିବାରୁ ୭ ବର୍ଷ ତଳେ ୫ ଶହ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା। ଲକ୍ଷ୍ୟ ଥିଲା ସ୍ଥାନୀୟ ଚାଷୀଙ୍କ ସମେତ ଅବିଭକ୍ତ କୋରାପୁଟ, ଗଜପତି ଓ କଳାହାଣ୍ଡିର ପରିବା ଚାଷୀ ଏହାର ଲାଭ ଉଠାଇ ପାରବେ । ହେଲେ ଏହି ଶୀତଳ ଭଣ୍ଡାର ଏବେ ଏକ ପ୍ରହସନ ପାଲଟିଥିବା କଟାକ୍ଷ କରିଛନ୍ତି ଚାଷୀ।
ଚାଷୀଙ୍କୁ ଉତ୍ପାଦିତ ପରିବାର ମୂଲ୍ୟ ମିଳୁନଥିବାରୁ ଏବେ ଚିନ୍ତାରେ ରହିଛନ୍ତି ରାୟଗଡ଼ା ଜିଲ୍ଲାର ଚାଷୀ। ଶୀତଳ ଭଣ୍ଡାରଟିଏ ନଥିବା ଯୋଗୁଁ ବର୍ଷବର୍ଷ ଧରି କ୍ଷତି ସହୁଛନ୍ତି ଚାଷୀ । ପରିବାର ପେଟ ପୋଷିବା ପାଇଁ ଦଲାଲଙ୍କ ସାହାରା ନେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ତେବେ ଚାଷୀଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଶୀତଳ ଭଣ୍ଡାର ଯୋଜନା କେବଳ ଯୋଜନାରେ ରହିଯାଇଥିବା କହିଛନ୍ତି ଚାଷୀ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ