ରାୟଗଡା: ସହରର ଲାଇଫ ଲାଇନ କୁହାଯାଉଥିବା ଫ୍ଲାଏଓଭର ଏବେ ମରଣଯନ୍ତା ପାଲଟିଛି । ରାୟଗଡା ସହରକୁ ଦୁଇଭାଗ କରୁଥିବା ଏହି ଫ୍ଲାଏଓଭରରେ କୌଣସି ବଡ ଧରଣର ଅଘଟଣ ଘଟିବା ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ । ଫ୍ଲାଏଓଭରର ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହେବା ସହ ଜଳ ନିସ୍କାଷନର ସମସ୍ତ ବାଟ ବନ୍ଦ ହୋଇଯାଇଛି । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଆନ୍ଦୋଳନ ଚେତାବନୀ ଦେବାପରେ ବୁଧବାର ଜାତୀୟ ରାଜପଥ ପକ୍ଷରୁ ଏକ ବୈଷୟିକ ଟିମ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି ।
ନ୍ୟୁଜେନ ପ୍ରାଇଭେଟ ଲିଃ ନାମକ ଏକ ଇଞ୍ଜିନିୟରିଂ ସଂସ୍ଥାକୁ ଏହି ବ୍ରିଜର ଯାଞ୍ଚ କରି ରିପୋର୍ଟ ଦେବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସଂସ୍ଥା ତରଫରୁ ଇଞ୍ଜିନିୟର ବିକାଶ ବେହେରା ଆଜି ଫ୍ଲାଏଓଭରର ବିଭିନ୍ନ ସ୍ଥାନରେ ରିବଣ୍ଡ ହମାର ସିଷ୍ଟମରେ ପରୀକ୍ଷଣ କରିଥିଲେ । ଫ୍ଲାଏଓଭର ଠାରେ ଯେଉଁ ଗର୍ତ୍ତ ସୃଷ୍ଟି ହୋଇଛି ତାହା ମଧ୍ୟ ଅନୁଧ୍ୟାନ କରାଯାଇଥିଲା । ଆଉ ୧୦ ଦିନପରେ ଆଇଆଇଟି ଖଡଗପୁରରୁ ଏକ ଟିମ୍ ଆସି ଲୋଡ ପରୀକ୍ଷଣ କରିବେ ବୋଲି ବିକାଶ ବେହେରା ସୂଚନା ଦେଇଛନ୍ତି । ସେହିଭଳି ଜେକେପୁର ଠାରେ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ନାଗାବଳୀ ପୋଲର ସ୍ଥିତି ମଧ୍ୟ ଯାଞ୍ଚ କରାଯାଇଛି । ଏହି ବୈଷୟିକ ଟିମ୍ ଯାଞ୍ଚ କରିବା ସହ ପୁନର୍ବାର ନାଗାବଳୀ ନଦୀର ପାଣି ଭିତରେ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାୟଗଡ଼ାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ତଥା ସହରର ଏପାଖରୁ ସେପାଖକୁ ସଂଯୋଗ ପାଇଁ ଥିବା ଇଏ ହେଉଛି ଏକମାତ୍ର ଫ୍ଲାଏ ଓଭର ବ୍ରିଜ । ଏହି ଫ୍ଲାଏ ଓଭର ଦେଇ ହଜାର ହଜାର ଯାନବାହନ ଚାଲିଥାଏ । କିନ୍ତୁ ଜାତୀୟ ରାଜପଥ ବିଭାଗର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହାର ଅବସ୍ଥା ଅତି ସଂକଟାପନ୍ନ ରହିଛି । ପୂର୍ବରୁ ରେଳ ଲାଇନ୍ ଦେଇ ଯାତାୟତର ବ୍ୟବସ୍ଥା ଥିଲା ହେଲେ ଟ୍ରେନ୍ ଚଳାଚଳ ଯୋଗୁଁ ଦୁର୍ଘଟଣା ସାଙ୍ଗକୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରୁ ୧୯୯୯ ମସିହାରେ ଏହି ଫ୍ଲାଏ ଓଭର ନିର୍ମିତ ହୋଇଥିଲା ।
ପରବର୍ତ୍ତୀ ସମୟରେ ରାୟଗଡ଼ା ସହର ମଧ୍ୟଦେଇ ଯାଇଥିବା ମୁଖ୍ୟ ସଡ଼କ ଜାତୀୟ ରାଜପଥ ଭାବେ ଘୋଷଣା ହୋଇ ୩୨୬ ନଂ ଜାତୀୟ ରାଜପଥରେ ମିଶିଥିଲା । ଏହାପରେ ୨୦୧୮ ମସିହାରେ ଏହି ଫ୍ଲାଏ ଓଭରର ରକ୍ଷଣାବେକ୍ଷଣ ଦାୟିତ୍ୱ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ହୋଇଥିଲା । ହେଲେ ବିଭାଗର ଅବହେଳା ଏବଂ ଆନ୍ତରିକତା ଯୋଗୁଁ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ଫ୍ଲାଏ ଓଭର ରହିଛି । ୨ଶହ ମିଟରର ଫ୍ଲାଏ ଓଭରରେ ହଜାର ହଜାର ଛୋଟ ବଡ଼ ଖାଲ ସୃଷ୍ଟି ହୋଇଛି ।
ଏଭଳିକି ବ୍ରିଜର ଛାତରେ ରହିଥିବା ଚ୍ୟାନେଲ ପ୍ଲେଟଗୁଡ଼ିକ ବାହାରି ଦେଖାଗଲାଣି । ଗୁଜରାଟ ଝୁଲା ପୋଲ ଭଳି କେତେବେଳେ ଏହି ଫ୍ଲାଏ ଓଭର ମଧ୍ୟ ଭୁଶୁଡ଼ି ପଡ଼ିବା ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି । ଜାତୀୟ ରାଜପଥ ବିଭାଗ କନିଷ୍ଠ ଯନ୍ତ୍ରୀ ଭଂଜକିଶୋର ସିଂଙ୍କ ସୂଚନା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ଫ୍ଲାଏ ଓଭର ଏବଂ ଜେକେପୁର ସ୍ଥିତ ନାଗାବଳୀ ନଦୀ ବ୍ରିଜ୍ ମରାମତି ପାଇଁ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ପରଠାରୁ ଏହି ବ୍ରିଜର ମରରମତି ପାଇଁ କିଛି ବି ଅନୁଦାନ ଆସିନାହିଁଁ । ଯାହା ଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଇଟିଭି ଭାରତ, ରାୟଗଡା