ରାୟଗଡା: ଅଟୋ ଏବଂ ବସ ଭଡା କମ କରିବାକୁ ଛାତ୍ରଛାତ୍ରୀଙ୍କ ତରଫରୁ ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଷ୍ଟୁଡେଣ୍ଟ ଫେଡରେସନ ଅଫ ଇଣ୍ଡିଆର ରାୟଗଡା ଶାଖା ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କ ବସ ଏବଂ ଅଟୋ ଭଡା ବୃଦ୍ଧି ହୋଇଥିବା ଏବଂ କୋରୋନା କଟକଣା ଲାଗୁ ବେଳେ ଯେଉଁ ଭଡା ଅଟୋ ଚାଳକ ନେଉଥିଲେ ବର୍ତ୍ତମାନ କଟକଣାକୁ କୋହଳ କରିବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । କିନ୍ତୁ ଅଟୋ ଚାଳକ ଛାତ୍ରଛାତ୍ରୀଙ୍କ ଠାରୁ କଟକଣା ସମୟରେ ନେବା ଭଳି ଅଧିକ ଭଡା ବର୍ତମାନ ମଧ୍ୟ ନେଉଥିବା ଅଭିଯୋଗ ହୋଇଛି । ଫଳରେ ଦୂରଦୂରାନ୍ତରୁ ଆସୁଥିବା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଅଧିକ ଖର୍ଚ୍ଚାନ୍ତ ହେଉଥିବାରୁ କଲେଜକୁ ପାଠ ପଢିବାକୁ ଆସିପାରୁନଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ବସରେ ମଧ୍ୟ କଲେଜକୁ ଯାତ୍ରା କଲେ ଅଧିକ ଭଡା ନେଉଥିବା ଅଭିଯୋଗ କରି ଆଜି ଷ୍ଟୁଡେଣ୍ଟ ଫେଡରେସନ ଅଫ ଇଣ୍ଡିଆ ରାୟଗଡା ତରଫରୁ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ଅନୁଯାୟୀ ଅଟୋ ଭଡା କମ କରିବା ସହିତ ରାମନାଗୁଡା ଏବଂ କଲ୍ୟାଣିସିଂପୁର ଠାରୁ ରାୟଗଡାକୁ 2ଟି ବସ ବ୍ୟବସ୍ଥା ଚଳାଚଳ ବ୍ୟବସ୍ଥା କଲେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ଦାବି ପତ୍ରରେ ନିବେଦନ କରାଯାଇଛି । ଏହି ଦାବିପତ୍ରକୁ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ରଙ୍କୁ ପ୍ରଦାନ କରିଥିଲେ ଛାତ୍ରଛାତ୍ରୀ । ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ ରହିଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ