ରାୟଗଡା: ରାୟଗଡାରେ ଆରମ୍ଭ ହୋଇଛି ସେରୋଲୋଜିକାଲ ସର୍ଭେ । 6 ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ ସମେତ ବୟସ୍କ ଶ୍ରେଣୀ ବ୍ୟକ୍ତିଙ୍କଠୁ ସଂଗ୍ରହ ହେବ ରକ୍ତ ନମୁନା । ଏଥିପାଇଁ ରାୟଗଡା ପହଞ୍ଚିଛନ୍ତି ଆରଏମଆରସିର ୯ ଜଣିଆ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଟିମ । ଜିଲ୍ଲାରେ ପ୍ରାୟ ୧୦ଗୋଟି କ୍ଲଷ୍ଟରରେ ଯାଞ୍ଚ ହେବ ଲୋକଙ୍କ ମହାମାରୀ ବିରୋଧି ରୋଗ ପ୍ରତିରୋଧକ କ୍ଷମତା । ମହାମାରୀ କରୋନା ଭୂତାଣୁକୁ ସ୍ୱାସ୍ଥ୍ୟ ଭିତରେ ପ୍ରତିରୋଧ କରିବାକୁ କେତେ ପ୍ରସ୍ତୁତ ରହିଛି, ଆଣ୍ଟିବଡି ସେ ନେଇ ଯାଞ୍ଚ କରିବ ଆରଏମଆରସି ଟିମ ।
ତେବେ ଶିଶୁଙ୍କ ସ୍ୱାସ୍ଥ୍ୟରେ ମହାମାରୀକୁ ପ୍ରତିରୋଧ ନିମନ୍ତେ ଆଣ୍ଟିବଡି କିଭଳି ରହିଛି ସେନେଇ ଅଖିଳ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ପକ୍ଷରୁ ଦେଶର ୭୦ ଗୋଟି ଜିଲ୍ଲାରେ ସେରୋ ସର୍ଭେ ଅନୁଷ୍ଠିତ ହେବ । ତେବେ ରାଜ୍ୟର ତିନିଗୋଟି ଜିଲ୍ଲା ଯଥା ଗଞ୍ଜାମ, କୋରାପୁଟ ଓ ରାୟଗଡା ଆଇସିଏମଆର ସେରୋ ସର୍ଭେ ତାଲିକାରେ ସାମିଲ ରହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଇସିଏମଆର ଶାଖା ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ କେନ୍ଦ୍ର ପକ୍ଷରୁ ଉକ୍ତ ତିନୋଟି ଜିଲ୍ଲାରେ ସେରୋ ନମୁନା ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପରିପେକ୍ଷୀରେ ରାୟଗଡା ସହରର ୧୦ ନମ୍ବର ୱାର୍ଡ, ବିଷମକଟକର କୁମ୍ଭାର ଧାମୁଣି କଲୋନୀ ଅଞ୍ଚଳରେ ୧୦୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରିଥିବା ଜଣାପଡିଛି ।
ମହାମାରୀ ସଂକ୍ରମଣ ଦ୍ୱିତୀୟ ଲହରରେ ସଂକ୍ରମଣ ଉଦବେଗ ଜନକ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ତାଲିକା ସବୁଦିନ ବୃଦ୍ଧି ଘଟୁଛି । ପ୍ରଥମ ଓ ଦ୍ୱିତୀୟ ଲହରରେ କରୋନା ଭୂତାଣୁ ନିଜର କରାଳ ରୂପ ଦେଖାଇ ସାରିଛି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଚଳିତ ବର୍ଷ ଶେଷ ବଳକୁ ପୁଣି ତୃତୀୟ ଲହର ଆସିବା ସମ୍ଭାବନା ରହିଛି । ତେଣୁ, ଏଥିନେଇ ଏବେଠୁ ପୂର୍ବ ପ୍ରସ୍ତୁତି ପ୍ରାରମ୍ଭ କରିଥିଲେ କିଛି ମାତ୍ରରେ ଏହାର କୁପରିଣତିଠୁ ଲୋକେ ସୁରକ୍ଷିତ ରହିବେ ବୋଲି କୁହାଯାଇଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ବିଶେଷ ଭାବେ ଶିଶୁମାନେ ତୃତୀୟ ଲହରରେ ସଂକ୍ରମଣ ଶିକାର ହେବା ଯଥେଷ୍ଟ ଆଶଙ୍କା ଦେଖାଦେଇଛି । ଏହି ସମ୍ଭାବନାକୁ ଏଡାଇବା ନିମନ୍ତେ ଶିଶୁଙ୍କୁ ଟୀକାକରଣ ନିମନ୍ତେ ଶିଶୁ ସ୍ୱାସ୍ଥ୍ୟ ପରାମର୍ଶଦାତା କରୋନା ମହାମାରୀର ଏକମାତ୍ର ପ୍ରତିଷେଧକ ସ୍ୱରୂପ ଟିକାକୁ କ୍ଲିନିକାଲ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ଏହା ସଫଳ ପ୍ରମାଣିତ ହେଲେ ଆଗାମୀ ଦିନରେ ଶିଶୁ ମାନଙ୍କୁ ମଧ୍ୟ ମହାମାରୀ ସଂକ୍ରମଣଠୁ ବର୍ତ୍ତିବା ପାଇଁ ଟୀକାକରଣ କରାଯିବ । ତେବେ ଶିଶୁଙ୍କ ସ୍ୱାସ୍ଥ୍ୟରେ ମହାମାରୀକୁ ପ୍ରତିରୋଧ ନିମନ୍ତେ ଆଣ୍ଟିବଡି କିଭଳି ରହିଛି ସେନେଇ ଅଖିଳ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ପକ୍ଷରୁ ଦେଶର ୭୦ ଗୋଟି ଜିଲ୍ଲାରେ ସେରୋ ସର୍ଭେ ଆନୁଷ୍ଠିତ ହେବ ।
ଉକ୍ତ ଟିମ ସଂଗୃହିତ ତଥ୍ୟ ମଧ୍ୟରୁ ଦୁଇଟି ଡୋଜ ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ନମୁନା, ଶିଶୁଙ୍କଠୁ ରକ୍ତ ନୁମନା ଓ ବୟସ୍କଙ୍କ ରକ୍ତ ନମୁନାରେ କିଭଳି ଆଣ୍ଟିବଡି ପ୍ରସ୍ତୁତ କ୍ଷମତା ରହିଛି ଏହି ସ୍ୱାସ୍ଥ୍ୟ ବୈଜ୍ଞାନିକ ଟିମ ଅନୁଧ୍ୟାନ କରିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ