ରାୟଗଡା: ନୂଆ ଭୂତାଣୁ ଷ୍ଟ୍ରେନକୁ ନେଇ ରାଜ୍ୟ ସରକାର ସୀମାନ୍ତରେ କଡା ନଜର ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପରେ ଗତ କିଛି ଦିନ ହେବ ଓଡିଶା-ଆନ୍ଧ୍ର ସୀମାନ୍ତକୁ ସିଲ୍ କରିଦିଆଯାଇଛି । ଜିଲ୍ଲାର ଗୁଣପୁର, ରାମନାଗୁଡା, କୋଲନରା ଓ ରାୟଗଡା ସଦରର ସୀମାନ୍ତରେ ଚେକ୍ ପଏଣ୍ଟ ଗଠନ କରି କଡା ନଜର ରଖାଯାଇଛି ।
ତେବେ ଆଜି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୀମାନ୍ତ ସାନ୍ଧୁବାଡି ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସୀମାନ୍ତରେ ନିୟୋଜିତ ଥିବା ପୋଲିସ କର୍ମଚାରୀ, ଶିକ୍ଷକ ଓ ପରିବହନ ବିଭାଗର କର୍ମଚାରୀଙ୍କ ସହ ଜିଲ୍ଲାପାଳ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଲୋକ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସମସ୍ତଙ୍କୁ 14 ଦିନିଆ ସଂଘରୋଧ କେନ୍ଦ୍ରରେ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାର ସୀମାନ୍ତରେ ଗଠନ ହୋଇଥିବା ସମସ୍ତ ଚେକ୍ ପୋଷ୍ଟରେ ଆନ୍ଧ୍ରରୁ ଆସୁଥିବା ଲୋକ ମାନଙ୍କ କଡା ଯାଞ୍ଚ୍ କରିବା ସହ ସମସ୍ତ ତଥ୍ୟା ସଂଗ୍ରହ କରିବାକୁ ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ବିଭିନ୍ନ ସ୍ଥାନରେ ରହି ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିବା ସହ ନିୟମିତ ମାସ୍କ, ହାତ ଧୋଇବା ଓ ସାମାଜିକ ଦୂରତା ପାଳନ କରିବା ପାଇଁ ଲୋକ ମାନଙ୍କୁ କହିଥିଲେ । ସେହିପରି ଅଧିକ ଯାତ୍ରୀ ପରିବହନ କରୁଥିବା ଅଭିଯୋଗରେ ଗୋଟିଏ କାର୍ ଓ ଅଟୋ ମାଲିକଙ୍କ ଉପରେ ଜରିମାନା ଆଦାୟ କରିବାକୁ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ