ରାୟଗଡା: ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସବୁଜ ସଙ୍କେତ ଦେଇଛନ୍ତି ଜିଲ୍ଲାପାଳ । କୋରୋନା କଟକଣା ମଧ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯାଇପାରିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ ନିର୍ଦେଶ ଦେବାପରେ ରାୟଗଡା ସହରର ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣୀଙ୍କ ମନ୍ଦିର ରବିବାର ଠାରୁ ଖୋଲାଯାଇଛି ।
ମଝିଘରିଆଣୀଙ୍କ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଦାଳୁ ସମାଗମ ହେଉଥିବା ଯୋଗୁଁ କୋରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ମନ୍ଦିର ପରିଚାଳନା କମିଟିକୁ ନିର୍ଦେଶ ଦେଇଛନ୍ତି । ମାଙ୍କ ପୀଠର ଗର୍ଭଗୃହ ମଧ୍ୟରେ କୌଣସି ଶ୍ରଦ୍ଦାଳୁଙ୍କ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ବେଢା ବାହାରେ ରହି ସୀମିତ ସଂଖ୍ୟକ ଶ୍ରଦ୍ଦାଳୁ ମାଙ୍କ ଦର୍ଶନ କରିବେ ବୋଲି କୁହାଯାଇଛି । ସେହିପରି ମନ୍ଦିର ପରିସରରେ ଭକ୍ତ ମାନେ ନଡିଆ ଭୋଗକୁ ଦେବାକୁ ବାରଣ କରାଯାଇଥିବା ବେଳେ ମାଙ୍କ ପାଦୁକ ମଣ୍ଡପରେ ନଡିଆ ଭୋଗ ଦେଇପାରିବେ ବୋଲି କୁହାଯାଇଛି ।
ସେହିପରି ସପ୍ତାହର ପ୍ରତି ମଙ୍ଗଳବାର,ବୁଧବାର ଓ ରବିବାର ଦିନ ଶ୍ରଦ୍ଦାଳୁଙ୍କ ସମାଗମ ଅଧିକ ହେଉଥିବାରୁ ମନ୍ଦିର ପରିଚାଳନା କମିଟିକୁ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି । ଆଜି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭୋରରୁ ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । ସେହିପରି ଜିଲ୍ଲାର ସମସ୍ତ ଧର୍ମପୀଠରେ 50 ପ୍ରତିଶତ ଶ୍ରଦ୍ଦାଳୁ ଦର୍ଶନ କିମ୍ବା ପ୍ରାର୍ଥନାରେ ଭାଗ ନେଇପାରିବେ ବୋଲି କୁହାଯାଇଛି । ତେବେ ଧର୍ମାନୁଷ୍ଠାନକୁ ପ୍ରବେଶ କରିବା ପୂର୍ବରୁ କରୋନା ଟିକା ସାର୍ଟିଫିକେଟ୍,ଆଧାର କାର୍ଡ କିମ୍ବା କରୋନା ରିପୋର୍ଟ ଦାଖଲ କରିବାକୁ ବାଧ୍ୟ ବୋଲି କୁହାଯାଇଛି । ଅନ୍ୟପଟେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ 65 ବର୍ଷରୁ ଉର୍ଦ୍ଦ,10 ବର୍ଷରୁ କମ୍ ଓ ଗର୍ଭବତୀଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।
ତେବେ କରୋନା ନିର୍ଦେଶନାମାକୁ ଖିଲାଫ୍ କଲେ ସଂପୃକ୍ତ ପରିଚାଳନା କମିଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ତେବେ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ବିଭିନ୍ନ ଧର୍ମାନୁବଲମ୍ବୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ