ରାୟଗଡ଼ା: ଭୁବନେଶ୍ବରରେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨୬ ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବରିଷ୍ଠ ମହିଳା ହକି ଚାମ୍ପିଆନସିପ । ତେବେ ଏଥିରେ ଭାଗ ନେବାପାଇଁ ରାୟଗଡ଼ାରୁ ପ୍ରଥମ ଦଳ ଭାବରେ ମହିଳା ହକି ଦଳ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତା ୨୭ ତାରିଖ (ଗୁରୁବାର) ମାଲକାନଗିରି ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବେ ରାୟଗଡ଼ା ମହିଳା ହକି ଦଳ ।
ରାୟଗଡ଼ା ଜିଲ୍ଲା ଗଠନ ହେବା ଦିନଠାରୁ ଜିଲ୍ଲାରୁ କୌଣସି ହକି ଦଳ କୌଣସି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଖେଳିନଥିଲେ । ତେବେ ପ୍ରଥମ ଥର ପାଇଁ ଜିଲ୍ଲାର ପ୍ରଥମ ହକି ଦଳ ବାହାରିଛନ୍ତି । ତାହା ମଧ୍ୟ ମହିଳା ହକି ଦଳ । ତେବେ ଭୁବନେଶ୍ବରରେ ଆରମ୍ଭ ହେବାକୁ ଥିବା ବରିଷ୍ଠ ମହିଳା ହକି ଚାମ୍ପିଆନସିପ ପ୍ରତିଯୋଗିତାରେ ଭାଗ ନେବାପାଇଁ ଏହି ଦଳ ଭୁବନେଶ୍ବର ଗସ୍ତ କରିଛନ୍ତି । ଆସନ୍ତ ୨୭ ତାରିଖରେ ମାଲକାନଗିରି ବିପକ୍ଷରେ ସେମାନଙ୍କ ପ୍ରଥମ ମୁକାବିଲା ହେବ । ଏହା ପରେ ଟୁର୍ଣ୍ଣାମେଣ୍ଟରେ ଦଳୀୟ ସ୍ଥିତି ଅନ୍ୟ ଦଳ ସହିତ ଖେଳ ହେବ ବୋଲି ସୂଚନା ମିଳିଛି ।
ତେବେ ଭୁବନେଶ୍ବର ଯାତ୍ରା କରିଥିବା ଦଳର ସମସ୍ତ ବାଳିକା ରାୟଗଡ଼ା ମହିଳା ମହାବିଦ୍ୟାୟାଳୟ ଛାତ୍ରୀ । ମହିଳା ମହାବିଦ୍ୟାୟାଳୟ ପରିସରରେ ସେମାନଙ୍କ ପ୍ରଶିକ୍ଷଣ ହେଉଥିଲା । ଏହାପରେ ପ୍ରଥମ ରାଜ୍ୟସ୍ତରୀୟ ମ୍ୟାଚ ଖେଳିବାପାଇଁ ମନୋନୀତ ହୋଇଛନ୍ତି । ଯାହାକି ରାୟଗଡ଼ା ଭଳି ଏକ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଗର୍ବର ବିଷୟ । ରାଜ୍ୟସ୍ତରୀୟ ମ୍ୟାଚରେ ବିଜୟୀ ହେଲେ ଜାତୀୟ ସ୍ତରରେ ଖେଳିବା ପାଇଁ ସୁଯୋଗ ସୃଷ୍ଟି ହେବ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ଜିଲ୍ଲାକ୍ରୀଡା ଅଧିକାରୀ ଶେଖ ଆଲେନୁର ଏହି ଖେଳାଳୀଙ୍କୁ ଶୁଭେଛା ଜଣାଇଛନ୍ତି । ଏହି ଦଳର ଅଧିନାୟକ ନମିତା ବେନିଆ ରହିଥିବାବେଳେ ଉପଅଧିନାୟକ ରହିଛନ୍ତି ଅନୁରାଧା ଜିଲାକାରା । ସେହିଭଳି ସୁନୀଲ ମହନ୍ତ ଏହି ଦଳର ପ୍ରଶିକ୍ଷକ ରହିଛନ୍ତି ।
ଇଟିଭି ଭାରତ, ରାୟଗଡ଼ା