ରାୟଗଡା: ଶେଷରେ ଧରାପଡିଲା ସୁନା ଚୋର । ଗତ ଦୁଇ ଦିନ ହେଲା ସୁନା ଚୋରକୁ ନେଇ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଧିନସ୍ଥ କେନ୍ଦୁଗୁଡା ଗାଁରେ ଦେଖାଦେଇଥିଲା ଉତ୍ତେଜନା । ରାୟଗଡା ଏସପି ଶ୍ରବଣ ବିବେକ ଏମ୍ ହସ୍ତକ୍ଷେପ କରିବା ପରେ ଏକ ଘଣ୍ଟାରେ ସୁନାଚୋରକୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଗତ 4 ତାରିଖରେ ନାରାୟଣପୁର ପଞ୍ଚାୟତ ଦୁଲଦୁଲିଗୁଡା ଛକରେ କୌଶଲ୍ୟା ସୁଣ୍ଡିଆଣି ନାଗ୍ ନାମକ ବୃଦ୍ଧାଙ୍କ ସୁନା କାନଫୁଲ ଯୁଧିଷ୍ଟିର ନାମକ ବ୍ୟକ୍ତି ଲୁଟି ନେଇଥିଲେ । ଏନେଇ ବୃଦ୍ଧା ଜଣକ ଗାଁରେ କହିବା ପରେ ଗ୍ରାମବାସୀ ମିଶି ଯୁଧିଷ୍ଟିରକୁ କାବୁ କରି କଲ୍ୟାଣସିଂହପୁର ପୋଲିସର ଜିମା ଦେଇଥିଲେ । ହେଲେ କୋର୍ଟ ଚାଲାଣ ବଦଳରେ ଚୋରକୁ ପୋଲିସ ଛାଡି ଦେଇଥିବା ନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ । ଏହି ଘଟଣାରେ ଏସପି ହସ୍ତକ୍ଷେପ କରି ଘଣ୍ଟାଏ ମଧ୍ୟରେ ଚୋରକୁ ଗିରଫ କରିଛନ୍ତି । ତେବେ ଅଭିଯୁକ୍ତ ଥାନାରୁ ଫେରାର ହୋଇଥିଲା ନା ଜାଣିଶୁଣି ଛାଡିଦିଆଯାଇଛି ? ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ ଟି. ଏନ୍ ରଥ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ