ରାୟଗଡା: ଆଜିଠୁ ମାଓବାଦୀ ପାଳୁଛନ୍ତି ଶହୀଦ ସପ୍ତାହ । ଏଥିପାଇଁ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏହାକୁ ପ୍ରତିହତ ପାଇଁ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ।
ଜିଲ୍ଲାର ମୁନିଗୁଡ଼ା , ବିଷମକଟକ , କଲ୍ୟାଣସିଂହପୁର , କାଶୀପୁର , ଗୁଡ଼ାରି, ଚନ୍ଦ୍ରପୁର ସମେତ ଶେଷଖାଲ ଥାନା ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି । କଳାହାଣ୍ଡି ଜିଲ୍ଲା ଏବଂ ରାୟଗଡ଼ା ଜିଲ୍ଲାରେ ରହିଥିବା ନିୟମଗିରି ପାହାଡ଼ ନକ୍ସଲଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଥିବାରୁ ଏହି ଶହୀଦ ସପ୍ତାହରେ ଯେପରି କିଛି ଅଘଟଣ ନଘଟେ ସେଥିପାଇଁ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।
ଗୁଇନ୍ଦା ସୁତ୍ର ଆଧାରରେ ବର୍ତ୍ତମାନ ପୋଲିସ ମିଳିତ ଭାବେ ଅପରେସନ ଆରମ୍ଭ କରିଛି । ଏଥିପାଇଁ ସିଆରପିଏଫ , ବିଏସ୍ଏଫ , ଗ୍ରେହାଉଣ୍ଡ, ଡ଼ିଭିଏଫ ଏବଂ କୋବ୍ରା ଯବାନଙ୍କ ସହ ଓଏସ୍ଏପି ଯବାନଙ୍କୁ ନିୟୋଜିତ କରାଯାଇଛି । ଓଡ଼ିଶା ଆନ୍ଧ୍ର ସୀମାର ଶେଷଖାଲ ଥାନାର କେରେଡ଼ା , ରାମନାଗୁଡ଼ା ଫାଣ୍ଡିର କାଟିକି, କେଦାରପୁର ଏବଂ ଗୁଣପୁର ଥାନା ଅନ୍ତର୍ଗତ ଗୋଠଲପଦର ଏବଂ ବାତିଲି ଉପରେ ପୁଲିସର ତୀକ୍ଷ୍ଣ ନଜର ରହିଥିବା ବେଳେ ସୀମାକୁ ସିଲ କରି ଗାଡି ମଟର ଗୁଡିକର ତଲାସି କରାଯାଉଛି ।
ତେବେ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମାରୁ କୌଣସି ସରକାରୀ ବସ ଚଳାଚଳ କରୁନଥିବା ଜଣାପଡିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ