ରାୟଗଡ଼ା: ଦଶହରା ଛୁଟି ସରି ଦୁଇରୁ ତିନି ଦିନ ବିତି ଯାଇଥିବା ବେଳେ ରାୟଗଡ଼ା ଜିଲ୍ଲା ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟରେ କୌଣସି କର୍ମଚାରୀ ଉପସ୍ଥିତ ନଥିବା ଦେଖା ଦେଇଛି। ଏନେଇ ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟ କର୍ମଚାରୀ ମଧ୍ୟ କୌଣସି ତଥ୍ୟ ଦେଇ ପାରୁନାହାନ୍ତି। କର୍ମଚାରୀ ନଥିବାରୁ ଫାଙ୍କା ପଡ଼ିଛି କାର୍ଯ୍ୟାଳୟ।
ରାୟଗଡ଼ା ଜିଲ୍ଲା ଗୁଣପୁର ଓକିଲଗୁଡା ପଥର ବିସ୍ଫୋରଣ ମାମଲାରେ ପରିବେଶ ପ୍ରଦୂଷଣ ବିଭାଗ, ଜଙ୍ଗଲ ବିଭାଗ , ଶ୍ରମ ବିଭାଗ ମଧ୍ୟ ସମାନ ଭାବରେ ଦାୟୀ ବୋଲି ଅଭିଯୋଗ ହୋଇଛି। ତେବେ ଏ ଦିଗରେ ରାଜ୍ୟ ଏଯାଏଁ କୌଣସି ପଦକ୍ଷେପ ନେଇନାହାନ୍ତି। ଓକିଲଗୁଡା ପଥର ବିସ୍ଫୋରଣ ମାମଲାରେ ଏହି ସମସ୍ତ ବିଭାଗ ପକ୍ଷରୁ କୌଣସି ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇନାହିଁ। ଏଭଳି ସମ୍ବେଦନଶୀଳ ଘଟଣା ପରେ ମଧ୍ୟ ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟରେ କେହି ଦାୟିତ୍ବବାନ ନଥିବା ଅଭିଯୋଗ ହୋଇଛି।
ସେପଟେ ଓକିଲଗୁଡା ପଥର ବିସ୍ଫୋରଣ ମାମଲାରେ ଗୁଣପୁର ତହସିଲଦାରଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ଗୁଣପୁର ଅତିରିକ୍ତ ତହସିଲଦାର କୁଶ ଗରଡ଼ା ଏବଂ ରାଜସ୍ବ ପରିଦର୍ଶକ ଶରତ ଚନ୍ଦ୍ର ଆନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସେହିପରି ପଥର ଖାଦାନ ଦାୟିତ୍ବରେ ଥିବା ଗୁଣପୁର ସଦର ଅତିରିକ୍ତ ରାଜସ୍ବ ନିରୀକ୍ଷକ ଅନୁପ କୁମାର ମାର୍ଥାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଛି। ଚୁକ୍ତି ଭିତିକ ଆରଆଇ ସନ୍ତୋଷ କୁମାର ପଣ୍ଡା ଓ ଚୁକ୍ତି ଭିତ୍ତିକ ଏଆରଆଇ ସନ୍ତୋଷ କୁମାର ଦାସଙ୍କୁ କାର୍ଯ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି।
ସେପଟେ ବେଆଇନ ଖଣିଖାଦାନକୁ ନେଇ ଜିଲ୍ଲାଠୁ ରାଜ୍ୟ ଚିନ୍ତିତ ରହିଛନ୍ତି। ହେଲେ ପରିବେଶ ପ୍ରଦୂଷଣ ବିଭାଗ ଏନେଇ କୌଣସି ନିଘା ନଥିବା ଅଭିଯୋଗ ହୋଇଛି। ଏଭଳି ପ୍ରଶାସନ ଯୋଗୁଁ ଜିଲ୍ଲାରେ ପଥର ଖଣି ମାଫିଆଙ୍କ ରାଜୁତି ଚାଲିଥିବା ଅଭିଯୋଗ ହୋଇଛି।
କିଛିଦିନ ତଳେ ଓକିଲଗୁଡା ପଥର ବିସ୍ଫୋରଣ ଘଟି ପାଖରେ କାମ କରୁଥିବା 3ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଘଟଣାରେ ସମ୍ପୃକ୍ତ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ