ରାୟଗଡା: ଓକିଲଗୁଡା ପଥର ଖାଦାନରେ ବିସ୍ଫୋରଣ ଘଟି ତିନି ଜଣଙ୍କ ଜୀବନ ଯିବାପରେ ପ୍ରଶାସନର ନିଦ ଭାଙ୍ଗିଛି । ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାସହ ବିସ୍ଫୋରଣ ହୋଇଥିବା ବେଆଇନ ପଥର କୁଆରୀ ଲିଜଧାରୀ ମାଲିକଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି।
ଦଶହରା ଛୁଟି ପାଇଁ କିଛିଦିନ ନିରବ ରହିବା ପରେ ଜିଲ୍ଲା ପ୍ରଶାସନ ପୁଣି ଏବେ ଆକ୍ସନ ମୁଡ଼ରେ ଥିବା ଭଳି ଜଣାପଡ଼ୁଛି । ଏବେ ଗୁଣପୁର ଉପଖଣ୍ଡରେ ଥିବା ଓକିଲଗୁଡାରେ ଥିବା ପଥର କୁଆରୀ ସମେତ ତହସିଲର ଅନ୍ୟ ଲିଜ ଚୁକ୍ତି ହୋଇନଥିବା କୁଆରି ଅଞ୍ଚଳରେ ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ ନିଶେଦ୍ଧାଞ୍ଚଳ ବୋର୍ଡ ଲଗାଇଛନ୍ତି।
![ପଥର ଖାଦାନ ଅଞ୍ଚଳରେ ନିଶିଦ୍ଧାଚଂଳ ବୋଡ ଲଗାଇଲା ଜିଲ୍ଲା ପ୍ରଶାସନ](https://etvbharatimages.akamaized.net/etvbharat/prod-images/od-rgda-1-crosserblastfollup-edited-7202782_05112020173741_0511f_1604578061_425.jpeg)
ଏସବୁ ପଥର କୁଆରୀରୁ ପଥର ଉତ୍ତୋଳନ ପାଇଁ ମଧ୍ୟ ବାରଣ କରାଯାଇଛି । ଫଳରେ ସବୁଠାରେ ଖାଁ ଖାଁ ପରିବେଶ ଦେଖାଦେଇଛି । ହେଲେ ଏତେସବୁ ତନାଘନା ପରେ ମଧ୍ୟ ପୋଲିସ, ଜଙ୍ଗଲ ବିଭାଗ କିମ୍ବା ପ୍ରଦୂଷଣ ବିଭାଗ ବିରୋଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାକି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗତ ୧୬ ତାରିଖରେ ଏହି ଘଟଣା ଘଟିବା ପରେ ପୋଲିସ ବିଭାଗ କେବଳ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଏହି ଘଟଣାରେ ପୁରା ନିରବଦ୍ରଷ୍ଟା ସାଜିଛି । ଲମ୍ବା ସମୟ ଧରି ପୋଲିସର ଅବହେଳା ଓ କୋହଳ ନୀତି ପାଇଁ ବିସ୍ଫୋରକ ସାମଗ୍ରୀ ଗୁଣପୁର ଅଞ୍ଚଳକୁ କିପରି ଆସୁଥିଲା ତାର ତଦନ୍ତ ଆରମ୍ଭ ହେଲେ ଆହୁରି ଅନେକ ରୋଚକ ତଥ୍ୟ ପଦାକୁ ଆସିବ । ଏବେ ମଧ୍ୟ ଜିଲ୍ଲାରେ ବେଆଇନ ଭାବେ ରିତିମତ ବିସ୍ଫୋରଣ କରାଯାଇ ବିଭିନ୍ନ ପଥର ଖାଦାନ ମାନଙ୍କରେ ପଥର ଉତ୍ତୋଳନ କରାଯାଉଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ