ରାୟଗଡ଼ା: ଗ୍ରେଡ ପେ ବୃଦ୍ଧି ଦାବିରେ ପୁଣି ଆନ୍ଦୋଳନ ଚେତାବନୀ ଦେଲେ ଅମଲା ସଂଘ । ଖୋଲା ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଂଘ ଯୁଦ୍ଧ ଡାକରା ଦେଇଛି । ମିଶନ ଗ୍ରେଡ ପେ ୪୨୦୦ ଟଙ୍କା କରାନଗଲେ ଆସନ୍ତା ଜୁନ ୧ ତାରିଖଠାରୁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛି । ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ କାର୍ଯ୍ୟରତ ଅମଲା କର୍ମଚାରୀମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବାକୁ ଚେତାବନୀ ଦିଆଯାଇଛି ।
ରାୟଗଡ଼ା ଜିଲ୍ଲା ଅମଲା ମଞ୍ଚର ଏକ ବୈଠକ ଅମଲା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅରୁଣ କୁମାର ପାଢୀଙ୍କ ନେତୃତ୍ବରେ ଶତାଧିକ ଅମଲା ଉପସ୍ଥିତ ପୁଣି ଆନ୍ଦୋଳନ ପାଇଁ ସଜ ହେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିକଟରେ ଅମଲା ସଂଘର ଗୋଟିଏ ଦାବି ମିଶନ ଗ୍ରେଡ ପେ' ୪୨୦୦ ଟଙ୍କା କରାଯାଉ । ପ୍ରତିଶୃତି ପରେ ମଧ୍ୟ ଦାବି ପୂରଣ ନହେବାରୁ ରାଜ୍ୟ ଅମଲା ମିଳିତ ମଞ୍ଚ ଡାକରାରେ ଜିଲ୍ଲାର ୪୦୦ ଅମଲା କର୍ମଚାରୀମାନେ ଆସନ୍ତା ୨୨ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିବେ । ଯଦି ଏହି ସମୟ ମଧ୍ୟରେ ସରକାର କୌଣସି ନିଷ୍ପତ୍ତି ନନିଅନ୍ତି ତେବେ ଆସନ୍ତା ୧ ତାରିଖଠାରୁ ସମସ୍ତେ ସମୂହ ଛୁଟିରେ ରହିବେ ବୋଲି ସଂଘର ସଭାପତି ଅରୁଣ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମିଳନୀରେ ଚେତାବନୀ ଦିଆଯାଇଛି ।
ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ମିଳିତ ଅମଲା ମଞ୍ଚ ସଭାପତି ଅରୁଣ ପାଢୀ କହିଛନ୍ତି, "ସରକାର ଅମଲାଙ୍କ ଏକ ମାତ୍ର ଦୀର୍ଘ ଦିନର ଦାବି 4ର୍ଥ ସ୍ତରରୁ 9ମ ସ୍ତରକୁ ୟୁନିଟ କରି ଗ୍ରେଡ ପେ 4200 ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି । 2017ଠାରୁ ସରକାରଙ୍କ ନିୟମ ଅନୁଯାୟୀ ମାଟ୍ରିକ ପରିବର୍ତ୍ତେ ସେମାନେ କମ୍ପ୍ୟୁଟର ଏବଂ ସ୍ନାତକ ଶିକ୍ଷା ହାସଲ କରି କାର୍ଯ୍ୟ କରି ଆସୁଛନ୍ତି । କିନ୍ତୁ ଅମଲା ମାନଙ୍କଠାରୁ ତଳିଆ କର୍ମଚାରୀ ଅଧିକ ଦରମା ପାଉଥିବା ବେଳେ ଅମଲାଙ୍କ ପ୍ରତି ସରକାର ଅଣଦେଖା କରିଛନ୍ତି । ଗତ ଦିନରେ ସରକାର ଅମଲାଙ୍କ ସହ ଆଲୋଚନା କରି ଦାବି ପୂରଣ କରିବାକୁ ମେ 21 ପର୍ଯ୍ୟନ୍ତ ସମୟ ରଖିଥିଲେ । କିନ୍ତୁ ସମୟ ସୀମା ଶେଷ ହୋଇଥିବା ବେଳେ କୌଣସି ନିଷ୍କର୍ଷ ବାହାରି ନାହିଁ । ଯାହାକୁ ଜିଲ୍ଲା ଅମଲା ମିଳିତ ମଞ୍ଚ ନିନ୍ଦା ପ୍ରକାଶ କରୁଛି ।"
ଇଟିଭି ଭାରତ, ରାୟଗଡ଼ା