ରାୟଗଡା: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏବେ ରାୟଗଡା ଜିଲ୍ଲା ପୋଲିସ ପ୍ରଶାସନ ବେଶ୍ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ଏସପି ବିବେକାନନ୍ଦ ଶର୍ମା ବିଭିନ୍ନ ବ୍ଲକ ଗସ୍ତ କରି ନିଜେ ସ୍ଥିତିର ସମୀକ୍ଷା କରୁଛନ୍ତି । ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳକୁ ଆରକ୍ଷୀ ଅଧିକ୍ଷକ ଗସ୍ତ କରି ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନରେ ଥଇଥାନ କରାଯିବ ସେନେଇ ଉଦ୍ୟମ ଜାରି ରହିଛନ୍ତି । ଆଜି(ରବିବାର) ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ୧୧ଟି ବ୍ଲକରୁ ୨୦୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ସରକାରୀ ବିଦ୍ୟାଳୟରେ ରଖାଯାଇଛି । ଉକ୍ତ ସ୍ଥାନରେ ସମ୍ଭାବ୍ୟ ପ୍ରଭାବିତ ମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଅଧିକାରୀ ମାନେ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ।
ଲୋକ ଯେପରି ସୁରକ୍ଷିତ ଭାବେ ରହିପାରିବେ ସେନେଇ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ରାୟଗଡା ବ୍ଲକର ନଦୀ କୂଳିଆ ଅଞ୍ଚଳ ଭାବେ ବେଶ୍ ପରିଚିତ ଗୁସେଇଁକଣ୍ଟୁଆ ଓ ଶେଷଖାଲ ଗ୍ରାମର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ସେହିପରି କଲ୍ୟାଣସିଂହପୁର ବ୍ଲକରେ ପ୍ରବାହିତ ହେଉଥିବା ଉଭୟ ନାଗାବଳୀ ଓ କଲ୍ୟାଣୀ ନଦୀକୂଳିଆ ଅଞ୍ଚଳରେ ରହୁଥିବା ୬୩ ଜଣଙ୍କୁ ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । କୋଲନରା ବ୍ଲକର ୩୪, ମୁନିଗୁଡାର ୧୦୭, ବିଷମକଟକର ୧୫୫, ଗୁଣପୁରର ୩୭୫, ପଦ୍ମପୁର ବ୍ଲକର ୧୪୯, ରାମନାଗୁଡା ବ୍ଲକରୁ ୪୦ ଓ ଗୁଡାରୀ ବ୍ଲକରୁ ୪୭ ଜଣଙ୍କ ସମେତ ଅନ୍ୟ ସ୍ଥାନରୁ ମଧ୍ୟ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉକ୍ତ ସ୍ଥାନ ମାନଙ୍କରେ ଆବଶ୍ୟକ ପରିମାଣର ଚୁଡା, ଗୁଡ, ଦିଆସିଲି, କିରୋସିନ୍ ସମେତ ପଲିଥିନର ବ୍ୟବସ୍ଥା କରାଯାଇଛି ।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାୟଗଡା ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୪ଟି ଏନଡିଆରଏଫ୍ ଓ 6ଟି ଓଡ୍ରାଫ୍ ଟିମ୍ ପହଞ୍ଚି ଭାଗ ଭାଗ ହୋଇ ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି । ସେହିପରି ଜିଲ୍ଲାର ଭୁସ୍କଳନ ସ୍ଥାନ ଗୁଡିକ ଚିହ୍ନଟ କରାଯାଇ ଉକ୍ତ ଅଞ୍ଚଳ ମାନଙ୍କରେ ଗଢିଉଠିଥିବା ଜନବସତି ଉପରେ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖିଛି । ଆଜି ସଂନ୍ଧ୍ୟାରୁ ଜିଲ୍ଲାର କିଛି ସ୍ଥାନରେ ଲଗାତର ଝିପିଝିପି ବର୍ଷା ହୋଇଥିବା ବେଳେ ଲୋକଙ୍କୁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଉପରମୁଣ୍ଡରେ ବର୍ଷା ଯୋଗୁଁ ନାଗାବଳୀ ଓ ବଂଶଧାର ନଦୀ ଧିରେଧିରେ ଫୁଲୁଥିବାରୁ ନଦୀ ଅବବାହିକାରେ ରହୁଥିବା ଲୋକେ ଯେପରି ନିଜ ସ୍ଥାନ ଛାଡି ସୁରକ୍ଷିତ ରହିପାରିବେ ସେନେଇ ବ୍ୟବସ୍ଥା କରିଛି ପ୍ରଶାସନ । ଅନ୍ୟପଟେ ଆଜି ରାତି ଓ ଆସନ୍ତା କାଲି 24 ଘଣ୍ଟା ଧରି ଯଦି ତୁହାକୁ ତୁହା ବର୍ଷା ଜାରି ରହେ ତେବେ ଦୁଇ ପ୍ରମୁଖ ନଦୀ ବଂଶଧାର ଓ ନାଗାବଳୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଯଥେଷ୍ଟ ସମ୍ଭାବନା ରହିଛି । ଜିଲ୍ଲାର ପୂର୍ବରୁ ଫାଇଲିନ୍, ଫନି ଓ ତିତିଲିରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଗୁଲାବକୁ କିପରି ମୁକାବିଲା କରିହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା କୁହାଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ