ରାୟଗଡା: ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ବୟାନ୍ ବଦଳାଇ ଅଭିଯୁକ୍ତକୁ ଖସାଇ ଦେବାକୁ ଉଦ୍ୟମ କରୁଛି ମୁନିଗୁଡା ପୁଲିସ୍ । ଏପରିକି ପୀଡ଼ିତା ଓ ପରିବାର ଲୋକଙ୍କୁ ପୁଲିସ୍ ବାରମ୍ବାର ଥାନାକୁ ଡକାଇ ସକାଳ ଦିନ ଦିନ ଅଟକ ରାଖୀ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଭିଯୋଗର ଦୁଇ ଦିନ ପରେ ବି ପୁଲିସ୍ ମାମଲା ରୁଜୁ ନ କରିବା ପରେ ରାୟଗଡ଼ା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା ଓ ପରିବାର ଲୋକ।
ମୁନିଗୁଡ଼ା ବ୍ଲକର ଜଣେ ୨୦ ବର୍ଷୀୟ ଯୁବତୀ ରୂପାଲୀ (ଛଦ୍ମନାମ) ନିଜ ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇରେ ବେବି କେୟାର ଟେକର ଭାବରେ କାମ କରୁଥିଲେ । ଗତ ୩ ମାସ ହେଲା ରୂପାଲୀ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଘରେ ରହି ଆସୁଥିବା ବେଳେ ସେପ୍ଟେମ୍ବର ୪ ତାରିଖରେ କୁଟ୍ରାଗଡ ଗ୍ରାମର ଖଗେଶ ବାଗ ରୂପାଲୀଙ୍କ ଠିକଣା ଖୋଜି ମୁମ୍ବାଇରେ ପହଞ୍ଚିଥିଲେ ।
ରୂପାଲୀ ରହୁଥିବା ଘର ମାଲିକଙ୍କୁ ଖଗେଶ ରୂପାଲୀର ଭାଇ ବୋଲି ପରିଚୟ ଦେବା ପରେ ଖଗେଶ ଓ ରୂପାଲୀ ଉଭୟେ ଏକ ରୁମରେ ରହିଥିଲେ। ୧୦ ଦିନ ଧରି ଉଭୟେ ଏକାଠି ରହିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଖଗେଶ ରୂପାଲୀ ସହ ଶାରୀରିକ ସଂପର୍କ ରଖିଥିଲେ ।
ପରିବାର ଲୋକଙ୍କ ସହ ମୁନିଗୁଡା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗନୁଯାୟୀ ପୁଲିସ୍ ମାମଲା ରୁଜୁ କରିବା ପରିବର୍ତ୍ତେ ମୁନିଗୁଡା ଥାନା ଦୁଷ୍କର୍ମ ଉଦ୍ୟମ ବୟାନକୁ ବଦଳାଇବା ପାଇଁ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ।
ଏପରିକି ରୂପାଲୀ ଓ ପରିବାର ଲୋକ ପୁଲିସ କଥାରେ ରାଜି ନ ହେବାରୁ ଦୁଇ ଦିନ ହେଲା ପୋଲିସ୍ ତାଙ୍କୁ ଥାନାକୁ ଡକାଇ ଘଣ୍ଟା ଘଣ୍ଟା ଧରି ବସାଇବା ସହ ତଦନ୍ତକାରୀ ଅଧିକାରୀ ଓ ହୋମଗାର୍ଡ ଧମକ ଚମକ ଦେଉଥିବା ରୂପାଲୀ ଅଭିଯୋଗ କରିଛନ୍ତି। ରୂପାଲୀ ନିଜ ପରିବାର ଲୋକଙ୍କ ସହ ଏସପିଙ୍କ ଅଫିସରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ