ରାୟଗଡ଼ା: ଯୌତୁକ ଜୁଇରେ ବଳିପଡିଲା ଗର୍ଭବତୀ ବୋହୂ । ଶାଶୂ ଘର ପକ୍ଷରୁ ଅଧିକ ଯୌତୁକ ଦାବି ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏହା ସହି ନପାରି ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଗୁଣପୁର ଥାନା ଅନ୍ତର୍ଗତ କୁଜେନ୍ଦ୍ରୀ ଗ୍ରାମରେ ମହିଳା ଜଣକ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଗୁଣପୁର ଥାନା ଅନ୍ତର୍ଗତ କୁଜେନ୍ଦ୍ରୀ ଗ୍ରାମର ସନ୍ତୋଷ ଗୌଡଙ୍କ ସହ ଗଜପତି ଜିଲ୍ଲା କାଶୀନଗର ବ୍ଲକର ଉଲାଭଦ୍ରା ଗ୍ରାମର ମହାଲକ୍ଷ୍ଣୀ ଗୌଡଙ୍କ ସହ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା । ଗତ ମେ ମାସ ୩ ତାରିଖରେ କୁଜେନ୍ଦ୍ରୀ ଗ୍ରାମରେ ଅନୁଷ୍ଠିତ ବିବାହ ଉତ୍ସବରେ ମହାଲକ୍ଷ୍ଣୀଙ୍କ ପରିବାର ପକ୍ଷରୁ ସୁନା ଅଳଙ୍କାର, ବାଇକ ଓ ଅନ୍ୟାନ୍ୟ ଆସବାବପତ୍ର ଯୌତୁକ ଆକାରରେ ସନ୍ତୋଷକୁ ପ୍ରଦାନ କରିଥିଲେ । ସନ୍ତୋଷ ମାଆ ତଥା ମହାଲକ୍ଷ୍ମୀଙ୍କ ଶାଶୂ ହେମା ଗୌଡ ବିବାହର କିଛି ଦିନ ପରେ ବୋହୂ ମହାଲକ୍ଷ୍ଣୀ ଓ ସ୍ବାମୀ ସନ୍ତୋଷ ଅଧିକ ଯୌତୁକ ଦାବି କରି ଶାରରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ।
ଏହା ବି ପଢନ୍ତୁ- ହରିଣ ଶିକାର କରି ମାଂସ ବିକ୍ରି ଅଭିଯୋଗ, ଭାଇରାଲ ହେଲା ଭିଡ଼ିଓ
ଏଭଳି ନିର୍ଯାତନା ନେଇ ମହାଲକ୍ଷ୍ଣୀ ନିଜ ବାପଘର ଲୋକଙ୍କୁ ସୂଚନା ଦେଇଥିଲେ । ସୂଚନାକ୍ରମେ ଗତ ବୁଧୁବାର ଦିନ ମହାଲକ୍ଷ୍ଣୀଙ୍କ ମାଆ ଚଞ୍ଚଳା ଗୌଡ ପହଞ୍ଚି ସ୍ବାମୀ, ଶାଶୂଙ୍କୁ ଏନେଇ ଆଲୋଚନା କରିବା ସହ ମିଳିମିଶି ରହିବାକୁ ଅନୁରୋଧ କରି ଫେରିଥିଲେ । ମାଆ ଫେରିବା ପରେ ମହାଲକ୍ଷ୍ଣୀ ନିଜ ଜୀବନକୁ ବିପଦ ଥିବା ଭୟରେ ଘରେ ଥିବା କୀଟନାଶକ ଔଷଧ ପିଇ ଦେଇଥିଲେ।
ସ୍ଥାନୀୟ ଲୋକ ଏହା ଦେଖି ପରିବାର ଲୋକଙ୍କୁ ସୂଚନା ଦେବା ସହ ଗୁରୁତର ଅବସ୍ଥାରେ ମହାଲକ୍ଷ୍ମୀଙ୍କୁ ଉଦ୍ଧାର କରି ପ୍ରଥମେ ଗୁଣପୁର ଓ ତାପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମହାଲକ୍ଷ୍ଣୀଙ୍କ ମୃତ୍ୟୁ ଘଟିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ଥାନ୍ତର କରିଛି । ମୃତଦେହ ଗତକାଲି ରାତ୍ର କୁଜେନ୍ଦ୍ରୀ ଗ୍ରାମରେ ପହଞ୍ଚିବା ପରେ ସେଠାରେ ବୋହୂର ମୃତ୍ୟୁ ନେଇ ସ୍ବାମୀ ଓ ଶାଶୂଙ୍କୁ ଦାୟୀ କରି ପ୍ରବଳ ହଟ୍ଟଗୋଳ ହେବା ସହ ଉତ୍ତ୍ୟକ୍ତ ଲୋକ ଶାଶୂଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।
ଗତକାଲି ମଧ୍ୟରାତ୍ରରେ ଗୁଣପୁର ଥାନାରେ ମୃତ ମହାଲକ୍ଷ୍ଣୀଙ୍କ ପରିବାର ପକ୍ଷରୁ ଯୌତୁକ ନିର୍ଯାତନା ଯୋଗୁଁ ମୃତ୍ୟୁ ଘଟିଥିବା ନେଇ ଏତଲା ଦିଆଯାଇଥିଲା । ଏହି ଏତଲାକୁ ଭିତ୍ତି କରି ଆଜି ସ୍ବାମୀ ସନ୍ତୋଷକୁ ପୋଲିସ ଗୁଣପୁର ଥାନାକୁ ଆଣି ପଚରାଉଚରା କରୁଥିବା ବେଳେ ଶାଶୂ ଫେରାର ହୋଇଯାଇଥିବା ଜଣାପଡିଛି । ସେପଟେ ମୃତ ମହାଲକ୍ଷ୍ଣୀ ୩ ମାସର ଗର୍ଭବତୀ ଥିବା ପରିବାର ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ରାୟଗଡ଼ା