ରାୟଗଡା: ମାସ ମାସ ଧରି କୋରୋନାର ଭୟାବହତାରେ ପେଶି ହୋଇ ଯାଇଥିଲେ ଉଠାଦୋକାନୀ । କୋରୋନା ଛଡାଇନେଇଥିଲା ଜୀବିକା । ମାସମାସ ଧରି ଭାଙ୍ଗିଯାଇଥିଲା ଆର୍ଥିକ ମେରୁଦଣ୍ଡ । ନାନା ହଇରାଣ ହରକତ ହେଉଥିଲେ ରାୟଗଡାର ଉଠାଦୋକାନୀ ।
ଦିନେ କି ଦୁଇ ଦିନ ନୁହେଁ ଲକଡାଉନ ଓ ସର୍ଟଡାଉନରେ ପ୍ରାୟ 10 ମାସ ଧରି ଶୂନଶାନ ହୋଇଯାଇଥିଲା ରାସ୍ତାଘାଟ । ଚିନ୍ତାରେ ଥିଲେ ପ୍ରତିଦିନ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ଉଠାଦୋକାନୀ । ତେବେ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଆଣିଦେଇଥିଲା ଆଶାର କିରଣ ।
10 ହଜାର ଲେଖାଏଁ ଆର୍ଥିକ ଋଣ ନେଇ ପୁଣି ଅଣ୍ଟା ଭିଡିଛନ୍ତି ରାୟଗଡାର ଉଠାଦୋକାନୀ । ପୌରାଞ୍ଚଳରେ ଥିବା ଉଠାଦୋକାନୀଙ୍କୁ ଏହି ସୁବିଧା ମିଳିବା ପରେ ସେମାନେ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାରେ ଲାଗିପଡିଛନ୍ତି ।
ତେବେ ଏ ଯୋଜନାରୁ ଅନେକ ବାଦ ପଡିଥିବା ଦେଖିବାକୁ ମିଳିଛି । ସରକାରୀ ତଥ୍ୟ ଅନୁସାରେ, ରାୟଗଡାରେ 917 ଜଣ ଉଠାଦୋକାନୀ ଚିହ୍ନଟ ହୋଇଛନ୍ତି । ହେଲେ ଏଥିରୁ ମାତ୍ର 350 ଜଣ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ଆବେଦନ କରିଛନ୍ତି । ଯେଉଁଥିରେ 160 ଜଣଙ୍କୁ ଏହି ଲାଭ ମିଳିଛି ।
ତେବେ ହିତାଧିକାରୀଙ୍କୁ 10 ହଜାର ଟଙ୍କାର ଲୋନ ଦିଆଯାଇଥିବାବେଳେ ଏହାକୁ ହିତାଧିକାରୀ ସୁଝିବାର ବ୍ୟବସ୍ଥା କରାଯାଇଛି । ହିତାଧିକାରୀମାନେ ନିଜେ ଅନଲାଇନ କିମ୍ବା ଅଫଲାଇନରେ ଆବେଦନ କରି ଏହାର ସୁବିଧା ପାଇପାରୁଛନ୍ତି ।
ହେଲେ ଏସବୁ ଭିତରେ ବି ଅନେକ ଉଠାଦୋକାନୀ ଏହାର ଲାଭ ପାଇପାରିନଥିବାରୁ ରାୟଗଡାରେ ଯୋଜନା ବାଟ ହୁଡିଥିବା କୁହାଯାଉଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ